ବ୍ରହ୍ମପୁର (ବାଘୁଆବାର୍ତ୍ତା): ଇ-ଆବର୍ଜନାରୁ ନିର୍ମିତ କଳାକୃତି ବ୍ରହ୍ମପୁର ସରକାରୀ ଆଇଟିଆଇ ପରିସରରେ ଆଜି ଉଦଘାଟିତ ହୋଇଯାଇଛି । ୨୯ ଫୁଟ ଉଚ୍ଚ ଏହି କଳାକୃତି ପ୍ରସ୍ତୁତିରେ ୩ ଟନ ଇଲେକଟ୍ରୋନିକ୍ସ ଆବର୍ଜନା ବିନିଯୋଗ ହୋଇଛି। ଇଲେକଟ୍ରିସିଆନ୍ ଓ ଇନଷ୍ଟ୍ରୁମେଣ୍ଟ ମେକାନିକ ପ୍ରଶିକ୍ଷାର୍ଥୀମାନେ ଏହାକୁ ତିଆରି କରିଥିବାର ସୂଚନା ମିଳିଛି । ଏଥିପାଇଁ ପୂର୍ବରୁ ଆଇଟିଆଇ କ୍ୟାମ୍ପସରେ ଏକ ଇ-ଆବର୍ଜନା ସଂଗ୍ରହ କେନ୍ଦ୍ର ଖୋଲାଯାଇ ବ୍ରହ୍ମପୁର ଓ ଆଖପାଖ ଅଞ୍ଚଳରୁ ଇ-ୱେଷ୍ଟ ଜମା କରାଯାଉଥିଲା । ଏବେ ଭୁବନେଶ୍ୱର ଠାରେ ୧୬ ଫୁଟ ଉଚ୍ଚ ଇ-ସ୍କଲପଚର୍ ରହିଛି। ତେବେ ବ୍ରହ୍ମପୁର ଆଇଟିଆଇରେ ଶନିବାର ଉଦଘାଟିତ ଇ-ସ୍କଲପଚର୍ ବିଶ୍ବର ସର୍ବବୃହତ ଭାବେ ଗିନିଜ ବୁକ୍ ଅଫ୍ ଓ୍ବର୍ଲଡ ରେକର୍ଡସରେ ସ୍ଥାନ ଅଳଙ୍କୃତ କରିବ ବୋଲି ଆଇଟିଆଇ ଅଧ୍ୟକ୍ଷ ଡ. ରଜତ ପାଣିଗ୍ରାହୀ ଆଶବାଦୀ ଥିବା ଜଣାପଡିଛି ।






