ମୁମ୍ବାଇ (ବାଘୁଆବାର୍ତ୍ତା): ଗତ କିଛି ଦିନ ହେବ ଟିଭି ଇଣ୍ଡଷ୍ଟ୍ରିରେ ଅଶାନ୍ତି ଦେଖାଦେଇଛି । ପ୍ରଥମେ ‘ୟେ ରିସ୍ତା କ୍ୟା କେହଲତା ହେ’ ଫେମ୍ କରନ ମେହେରାଙ୍କ ଉପରେ ତାଙ୍କ ପତ୍ନୀ ନିଶା ରାୱଲ ମାରପିଟର ଅଭିଯୋଗ ଲଗାଇଥିଲେ । ବର୍ତ୍ତମାନ ନାଗିନ୍ ୩ ର ଅଭିନେତା ପର୍ଲ ଭି ପୁରୀ ସମସ୍ୟା ମଧ୍ୟରେ ଛନ୍ଦି ହୋଇଯାଇଛନ୍ତି । ପର୍ଲ ଭି ପୁରୀଙ୍କୁ ପୋଲିସ ଗିରଫ କରିଛି । ଅଭିନେତା ବେପନହା ପ୍ୟାର, ବ୍ରହ୍ମରାକ୍ଷାସ ୨ ଏବଂ ନାଗିନ୍ ୩ ଭଳି ଅନେକ ସିରିଏଲରେ ଅଭିନୟ କରିଛନ୍ତି । ବଳାତ୍କାର ଅଭିଯୋଗରେ ପର୍ଲ ଭି ପୁରୀଙ୍କୁ ଗିରଫ କରାଯାଇଛି । ଏହି ଅଭିନେତାଙ୍କ ଉପରେ ଜଣେ ମହିଳା ବଳାତ୍କାର କରିଥିବା ଅଭିଯୋଗ କରିଛନ୍ତି । ମହିଳା ଏବଂ ତାଙ୍କ ପରିବାର ଅଭିଯୋଗ କରିବା ପରେ ଗତକାଲି ବିଳମ୍ବିତ ରାତିରେ ଏହି ଅଭିନେତାଙ୍କୁ ପୋଲିସ ଗିରଫ କରିଛି । ପର୍ଲ ଭି ପୁରୀ ବର୍ତ୍ତମାନ ପୋଲିସ ହେପାଜତରେ ଅଛନ୍ତି । ତେବେ ଏହା ବ୍ୟତୀତ ଅନ୍ୟ କୌଣସି ସୂଚନା ଏପର୍ୟ୍ୟନ୍ତ ପ୍ରକାଶ କରାଯାଇ ନାହିଁ । ପର୍ଲ ଭି ୨୦୧୩ ରେ ନିଜର ଅଭିନୟ କ୍ୟାରିୟର୍ ଆରମ୍ଭ କରିଥିଲେ । ୨୦୧୩ ରେ ସେ ଟିଭି ସିରିଏଲ ‘ଦିଲ କି ନଜର ସେ ଖୁବ୍ ସୁରତ୍’ ରୁ ଡେବ୍ୟୁ କରିଥିଲେ । ତେବେ ସେ ‘ଫିର ଭି ନା ମାନେ ବଦତମିଜ ଦିଲ’ ରେ ମୁଖ୍ୟ ଅଭିନେତା ଭାବରେ କାମ କରିଥିଲେ । ଏହା ପରେ ତାଙ୍କୁ ନାଗାର୍ଜୁନ ଏକ ଯୋଦ୍ଧା’, ‘ବେପନହା ପ୍ୟାର’, ‘ନାଗିନ୍’ ଏବଂ ‘ ବ୍ରହ୍ମରାକ୍ଷାସ ୨ ‘ଭଳି ଅନେକ ସିରିଏଲରେ ଦେଖିବାକୁ ମିଳିଥିଲା । ଏହା ବ୍ୟତୀତ ପର୍ଲ କିଛି ମ୍ୟୁଜିକ୍ ଭିଡିଓରେ ମଧ୍ୟ ନଜର ଆସିଛନ୍ତି ।






