ସମ୍ବଲପୁର (ବାଘୁଆବାର୍ତ୍ତା): ସମ୍ବଲପୁରରେ ପୁଣି ଚାଞ୍ଚଲ୍ୟକର ଘଟଣା । କ୍ଷେତରାଜପୁର ଥାନା ଅଞ୍ଚଳରେ ଅଧ ରାତିରେ ଘର ଝରକା ଭାଙ୍ଗି ଭିତରେ ପଶିବା ସହ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ଉଦ୍ୟମ ହୋଇଥିବା ନେଇ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି । ସକାଳୁ ଯୁବତୀ ଓ ଅଞ୍ଚଳବସୀ ସ୍ଥାନୀୟ ଥାନାକୁ ଯାଇ ନିରାଶ ହେବା ପରେ ମହିଳା ଥାନାକୁ ଯାଇଥିଲେ । ସେଠାରେ ମଧ୍ୟ ନ୍ୟାୟ ମିଳିବା ବିଳମ୍ବିତ ହେବା ପରେ ଅଞ୍ଚଳବାସୀ ମହିଳା ଥାନା ଘେରାଉ କରିଥିଲେ । ଏହି ଘଟଣାକୁ ନେଇ ଶୁକ୍ରବାର ଦିନ ପ୍ରାୟ ସାଢ଼େ ୧୧ଟା ସମୟରେ ମହିଳା ଥାନା ସମ୍ମୁଖରେ ଆଇନ୍ ଶୃଙ୍ଖଳା ସ୍ଥିତି ଜାରି ହୋଇଥିଲା । ଏହି ଘଟଣାରେ ମହିଳା ଥାନା ପୁଲିସ୍ ଏକ ଦୁଷ୍କର୍ମ ଉଦ୍ୟମ, ଅସଦାଚରଣ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ କ୍ଷେତରାଜପୁର ଥାନା ତାଲଭଟାପଡ଼ାର ମୋହିତ କୁମ୍ଭାର (୨୨) ଓ ନନ୍ଦୁ ବିଭାର (୨୬)କୁ ଗିରଫ କରିଛି । ଡାକ୍ତରୀମାଇନା ପରେ ଅଭିଯୁକ୍ତଙ୍କୁ ଶନିବାର କୋର୍ଟ ଚାଲାଣ କରାଯିବ ବୋଲି ମହିଳା ଥାନା ପକ୍ଷରୁ କୁହାଯାଇଛି । ଉକ୍ତ ଯୁବତୀଙ୍କର ମଧ୍ୟ ଡାକ୍ତରୀମାଇନା କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି । ଅଭିଯୋଗ ଅନୁସାରେ, ଉକ୍ତ ଯୁବତୀଙ୍କ ଘରେ ସେ ଓ ତାଙ୍କର ବାପା ରୁହନ୍ତି । ତାଙ୍କ ବାପା ପକ୍ଷାଘାତରେ ଆକ୍ରାନ୍ତ ଥିବାରୁ ଯୁବତୀ ଜଣଙ୍କ ଏକ ରୁହନ୍ତି କହିଲେ ଚଳେ । ଗୁରୁବାର ବିଳମ୍ବିତ ରାତିରେ ଅର୍ଥାତ୍ ରାତି ପ୍ରାୟ ଅଢ଼େଇଟା ସମୟରେ ଉଭୟ ଅଭିଯୁକ୍ତ ଝରକା ଭାଙ୍ଗି ଯୁବତୀଙ୍କ ଘର ଭିତରେ ପଶିଥିଲେ । ଅନ୍ଧାରର ସୁଯୋଗ ନେଇ ସେମାନେ ଯୁବତୀଙ୍କୁ ଅସଦାଚରଣ କରିବା ସହ ତାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ଯୁବତୀ ଚିତ୍କାର କରିବାରୁ ଅଭିଯୁକ୍ତମାନେ ଘଟଣା ସ୍ଥଳରୁ ଫେରାର୍ ହୋଇଯାଇଥିଲେ । ଏହି ଘଟଣା ପରେ ଯୁବତୀ ଜଣଙ୍କ ଆତଙ୍କିତ ଅବସ୍ଥାରେ ଥିଲେ । ଗତକାଲି ସକାଳୁ ପ୍ରଥମେ ସେ କ୍ଷେତରାଜପୁର ଥାନାକୁ ଯାଇଥିଲେ । କିନ୍ତୁ ସେଠାରେ ତାଙ୍କୁ ମହିଳା ଥାନାକୁ ଯିବା ପାଇଁ ପରାମର୍ଶ ଦିଆଯାଇଥିଲା । ଏହା ପରେ ସେ ମହିଳା ଥାନାକୁ ଯାଇ ଅଭିଯୋଗ କରିଥିଲେ । କିନ୍ତୁ ଦୀର୍ଘ ସମୟ ଯାଏ ତାଙ୍କ ଅଭିଯୋଗ ଗ୍ରହଣ କରାଯାଇନଥିଲା। ଏହାପରେ ଯୁବତୀ ଘରକୁ ଫେରିଯିବା ସହ ଅଞ୍ଚଳର ୫୦ରୁ ଉଦ୍ଧ୍ୱର୍ ମହିଳାଙ୍କ ସହ ମହିଳା ଥାନାକୁ ଯାଇଥିଲେ । ‘ମହିଳା ପୁଲିସ୍ ହାଏ ହାଏ’ ନାରାରେ ଲକ୍ଷ୍ମୀ ଟକିଜ ଛକରୁ ମହିଳା ଥାନା ଯାଏ ଅଞ୍ଚଳ କମ୍ପି ଉଠିଥିଲା । ଜଣେ ଅତିରିକ୍ତ ଏସ୍ପି, ସଦର ଏସ୍ଡିପିଓ ତପନ ମହାନ୍ତି, ଟାଉନ୍ ଥାନା, କ୍ଷେତରାଜପୁର ଥାନା ଓ ମହିଳା ଥାନା ପୁଲିସ୍ ପୁଲିସ୍ ଘଟଣାସ୍ଥଳରେ ଉପସ୍ଥିତ ମହିଳାଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ । ଦୀର୍ଘ ଦେଢ଼ ଘଣ୍ଟା ପରେ ମାମଲା ଥଣ୍ଡା ପଡ଼ିଥିଲା । ଅଭିଯୁକ୍ତଙ୍କୁ ତୁରନ୍ତ ଧରିବା ପାଇଁ ଆନ୍ଦୋଳନକାରୀମାନେ ଦାବି କରିଥିଲେ । ଏନେଇ ମହିଳା ଥାନା ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ସଦର ଏସ୍ଡିପିଓ ତପନ ମହାନ୍ତିଙ୍କ ନେତୃତ୍ୱରେ ମହିଳା ଥାନା ଓ କ୍ଷେତରାଜପୁର ଥାନାର କିଛି ଅଫିସରଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯିବା ସହ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା । ଇଲେକ୍ଟ୍ରୋନିକ୍ ସର୍ଭେଲାନ୍ସ ସହାୟତାରେ ଅଭିଯୁକ୍ତଙ୍କ ଠିକଣା ଜଣାପଡ଼ିବା ପରେ ସନ୍ଧ୍ୟା ସାଢ଼େ ୮ଟାରେ ଅର୍ଥାତ୍ ମାମଲା ରୁଜୁ ହେବାର ୧୨ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୁଲିସ୍ ସଫଳ ହୋଇଥିବା ପୁଲିସ୍ ପକ୍ଷରୁ ଏକ ପ୍ରେସ୍ ବିବୃତି ଯୋଗେ ସୂଚନା ପ୍ରଦାନ କରାଯାଇଛି ।






