ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଦଶପଲ୍ଲା ତହସିଲ କାର୍ୟ୍ୟାଳୟଠାରେ ଶୁକ୍ରବାର ରାଜସ୍ୱ ରଥର ଶୁଭାରମ୍ଭ ହୋଇଛି । ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ ମୁଖ୍ୟଅତିଥି ଭାବେ ଯୋଗଦେଇ, ରାଜସ୍ବ ରଥର ଶୁଭାରମ୍ଭ କରିଥିଲେ । ଏହି ଉଦଘାଟନ ଉତ୍ସବରେ ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ବେହେରା , ଦଶପଲ୍ଲା ତହସିଲଦାର ଅକ୍ଷୟ କୁମାର ଖେମୁଣ୍ଡୁ , ଦଶପଲ୍ଲା ବ୍ଲକ୍ ଅଧ୍ୟକ୍ଷା ସୁନନ୍ଦା ସାହୁ ,ଦଶପଲ୍ଲା ବ୍ଲକ୍ ଉପାଧ୍ୟକ୍ଷ ବସନ୍ତ କୁମାର ସାହୁଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥିଲେ । ରାଜସ୍ବ ରଥ ମାଧ୍ୟମରେ ରାଜସ୍ୱ ବିଭାଗ, ଜନ ସାଧାରଣଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବା ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଏହି ରଥଟି ଦଶପଲ୍ଲା ତହସିଲ ଅନ୍ତର୍ଗତ ସମସ୍ତ ଗ୍ରାମକୁ ଯାଇ ଜନସାଧାରଣଙ୍କୁ ସଚେତନ କରିବା ସହ ତହସିଲ କାର୍ଯ୍ୟଳୟ ସମସ୍ତ ସୁବିଧା ଜନସାଧାରଣଙ୍କ ଦୁଆରେ ପହଞ୍ଚାଇ ଦିଆଯିବ ବୋଲି ବିଧାୟକ ରମେଶ ଚନ୍ଦ୍ର ବେହେରା କହିଛନ୍ତି । ଏହା ମାଧ୍ୟମରେ ଲୋକମାନେ ଆବେଦନ କରୁଥିବା ଜାତିଗତ ପ୍ରମାଣ ପତ୍ର , ସ୍ଥାୟୀ ପ୍ରମାଣ ପତ୍ର , ଆୟ ପ୍ରମାଣ ପତ୍ର , ଦାଖଲ ଖାରଜ , ଜମି ପଟ୍ଟା , ଜମିର ନକଲ ପଟ୍ଟା ସୁବିଧାରେ ଓ କମ ସମୟ ମଧ୍ୟରେ ପାଇ ପାରିବେ ବୋଲି ଆଶା ପ୍ରକାଶ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଦଶପଲ୍ଲା ତହସିଲର ବହୁ ରାଜସ୍ବ କର୍ମଚାରୀ ଉପସ୍ଥିତ ଥିଲେ ।






