ନୟାଗଡ଼,(ବାଘୁଆବାର୍ତ୍ତା): କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅନିଲ କୁମାର ସାମଲ ଆଜି ଭିସି ମାଧ୍ୟମରେ ନୟାଗଡ଼ ଜିଲ୍ଲାର କୋଭିଡ୍ ପରିସ୍ଥିତି ସମୀକ୍ଷା କରିଛନ୍ତି । ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାରେ ବର୍ତ୍ତମାନ ଶତକଡ଼ା ୯୦ଭାଗ ଲୋକ ଗୃହ ସଙ୍ଗରୋଧରେ ଚିକିତ୍ସିତ ହେଉଥିବା ଆଲୋଚନା ହୋଇଛି । ସେମାନଙ୍କୁ ସ୍ୱତନ୍ତ୍ର ଭାବେ ଡାକ୍ତରୀ ଦଳ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଆବଶ୍ୟକ ସ୍ଥଳେ କୋଭିଡ୍ ହସ୍ପିଟାଲକୁ ପଠାଯାଉଛି । ଜିଲ୍ଲାରେ ୩୮ଗୋଟି ଭ୍ରାମ୍ୟମାଣ ଚିକିତ୍ସକ ଦଳ ନିୟୋଜିତ ହୋଇଛନ୍ତି । ସେହିଭଳି ଜିଲ୍ଲାରେ ୪୫ରୁ ଉର୍ଦ୍ଧ ବୟସ୍କ ବ୍ୟକ୍ତିମାନଙ୍କ ମଧ୍ୟରେ ଶତକଡ଼ା ୪୪ ଭାଗ ଲୋକଙ୍କୁ ଟୀକା ପ୍ରଦାନ କରାଯାଇଛି । ଭ୍ରାମ୍ୟମାଣ ଚିକିତ୍ସା ଦଳ ଦ୍ୱାରା କୋଭିଡ୍ ରୋଗୀଙ୍କୁ ଆମ୍ବୁଲାନସରେ ନେବା ଆଣିବା କରାଯାଉଛି । ଜିଲ୍ଲାରେ ଦୈନିକ ୬୫୦ ଆଣ୍ଟିଜେନ ଏବଂ ୧୦୦୦ ଆରଟିପିସିଆର୍ ପରୀକ୍ଷା କରାଯାଉଛି । ସେହିଭଳି ଅକ୍ସିଜେନ ଯୋଗାଣର ସୁବ୍ୟବସ୍ଥା ନିମନ୍ତେ ନୟାଗଡ଼ ସଦର ହସପିଟାଲ ଠାରେ ଏକ ଅମ୍ଲଜାନ ପ୍ଲାଣ୍ଟ ନିର୍ମାଣ କରାଯାଉଛି । କୋଭିଡ୍ ହସପିଟାଲରେ ରୋଗୀମାନଙ୍କର ସଂପର୍କୀୟମାନଙ୍କୁ ରୋଗୀମାନଙ୍କ ସମ୍ବନ୍ଧରେ ସୂଚନା ପ୍ରଦାନ କରାଯାଉଛି । କୋଭିଡ୍ରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିବିଶେଷଙ୍କ ଶବ ସଂସ୍କାର ପାଇଁ ନୟାଗଡ଼ ପୌର ପରିଷଦ ମଧ୍ୟରେ ଥିବା ଶ୍ମଶାନ ଏବଂ ଚାନ୍ଦପୁର ମେଡିକାଲ ପରିସର ମଧ୍ୟରେ ବ୍ୟବସ୍ଥା କରାଯାଇଛି । ଘରକୁ ଘର ବୁଲି ଆଶାକର୍ମୀ ଏବଂ ଅଙ୍ଗନବାଡ଼ି କର୍ମୀ ନିୟମିତ ସର୍ଭେ କରୁଛନ୍ତି । କୋଭିଡ୍ ଲକ୍ଷଣ ଦେଖାଗଲେ ତୁରନ୍ତ ପରୀକ୍ଷା କରାଯାଇ ଚିକିତ୍ସା ବ୍ୟବସ୍ଥା କରାଯାଉଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । କୋଭିଡ୍ ନିୟମ ମାନି ଚଳିବା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀଯୁକ୍ତ ସାମଲ ପ୍ରକାଶ କରିଥିଲେ । ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡି., ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶକ୍ତି ପ୍ରସାଦ ମିଶ୍ର, ଡିପିଏମ ନିତ୍ୟରଂଜନ ବରାଳ ପ୍ରମୁଖ ଉପସ୍ଥିତ ଥିଲେ ।






