ଭୁବନେଶ୍ୱର (ବାଘୁଆବାର୍ତ୍ତା): ଆଜିକାଲି ଲୋକଙ୍କ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ହୋଇଛି । ଏହି ପରିବର୍ତ୍ତନ ଯୋଗୁଁ ଲୋକେ ନାନା ରୋଗର ସମ୍ମୁଖୀନ ହେଉଛନ୍ତି । ଏମାନଙ୍କ ମଧ୍ୟରୁ ଗୋଟିଏ ହେଲା ମଧୁମେହ ବା ଡାଏବେଟିସ । ବର୍ତ୍ତମାନ ଯୁଗରେ ଡାଏବେଟିସ ଏକ ସାଧାରଣ ରୋଗ ହୋଇଗଲାଣି । ପ୍ରତି ଘରେ କେହି ନା କେହି ଡାଏବେଟିସରେ ପୀଡିତ । ମଧୁମେହ ରୋଗୀଙ୍କ ରକ୍ତରେ ସୁଗାର ଲେଭଲ ବଢିଗଲେ ରୋଗୀଙ୍କୁ ଅଧିକ ଭୋକ ଲାଗିବା, ବାରମ୍ବାର ପରିସ୍ରା ଲାଗିବା ଆଦି ସମସ୍ୟା ଦେଖାଦେଇଥାଏ । ଡାକ୍ତରଙ୍କ କହିବାନୁଯାୟୀ, ମଧୁମେହ ଯୋଗୁଁ ରୋଗୀଙ୍କ ଶରୀରରେ ପର୍ୟ୍ୟାପ୍ତ ପରିମାଣର ଇନ୍ସୁଲିନ ଉତ୍ପାଦନ ହୋଇପାରିନଥାଏ । ଏହି ସ୍ଥିତି ଅଧିକ ସମୟ ଯାଏଁ ରହିଲେ ଅନ୍ୟାନ୍ୟ ରୋଗ ହେବାର ମଧ୍ୟ ସମ୍ଭାବନା ରହିଥାଏ । ସେଥିପାଇଁ ମଧୁମେହ ରୋଗୀ ନିଜ ଖାଦ୍ୟପେୟ ଓ ଜୀବନଶୈଳୀ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ । ମଧୁମେହ ରୋଗୀ କେଉଁ କେଉଁ ଫଳ ଓ ପନିପରିବା ସେବନ କରିବା ଉଚିତ ଉଚିତ ଓ କେଉଁ ପନିପରିବା ସେବନ କରିବା ଅନୁଚିତ ଜାଣନ୍ତୁ – ଏହିସବୁ ଫଳ ଓ ପନିପରିବା ସେବନ କରିବା ଉଚିତ – ୧. କଦଳୀରେ ବହୁ ମାତ୍ରାରେ କାର୍ବୋହାଇଡ୍ରେଟ୍ସ ରହିଛି । ମଧୁମେହ ରୋଗୀ ଥରକେ ଅଧା କଦଳୀ ସେବନ କରିବା ଉଚିତ । ୨. ମଧୁମେହ ରୋଗୀ ପ୍ରତିଦିନ ଗୋଟିଏ କିମ୍ବା ଫାଳେ ସେଓ ଖାଇବା ଉଚିତ । ସେଓରେ ପ୍ରଚୁର ମାତ୍ରାରେ ଆଣ୍ଟିଅକ୍ସିଡେଣ୍ଟ ରହିଛି ଯାହା କୋଲେଷ୍ଟ୍ରୋଲ ଲେଭଲ କମ କରିଥାଏ ଏବଂ ପାଚନ କ୍ରିୟାକୁ ସୁସ୍ଥ ରଖିଥାଏ । ୩. ମଧୁମେହ ରୋଗୀଙ୍କ ପାଇଁ ପିଜୁଳି ଅତ୍ୟନ୍ତ ହିତକର । ପିଜୁଳିରେ ଭିଟାମିନ ଏ, ସି, ଫାଇବର ରହିଛି । ପିଜୁଳିରେ ମିଠା ଅଂଶ ମଧ୍ୟ କମ ରହିଥାଏ । ୪. ଏହାଛଡା ନାସପାତି, ଜାମୁକୋଳି, ପିଚ୍ ମଧ୍ୟ ମଧୁମେହ ରୋଗୀଙ୍କ ପାଇଁ ସ୍ୱାସ୍ଥ୍ୟକର । ଏହିସବୁ ଫଳରେ ଭିଟାମିନ ଓ ଫାଇବର୍ ରହିଛି ଯାହା ବ୍ଲଡ୍ ସୁଗାର କମ୍ କରିବାରେ ସାହାଯ୍ୟ କରିଥାଏ । ୫. ପନିପରିବା ମଧ୍ୟରେ କଲରା ମଧୁମେହ ରୋଗୀଙ୍କ ପାଇଁ ଅତ୍ୟନ୍ତ ହିତକର । ଏହା ବ୍ଲଡ଼ରେ ସୁଗାର ମାତ୍ରା କମ କରିବାରେ ସାହାଯ୍ୟ କରିଥାଏ । କଲରାରେ ଫାଇଟୋକେମିକାଲ ରହିଛି ଯାହା ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ । ୬. ଭେଣ୍ଡିରେ ମାଇରିସିଟିନ୍ ତତ୍ୱ ରହିଛି ଯାହା ମଧୁମେହ ରୋଗୀଙ୍କ ପାଇଁ ବହୁତ ଲାଭଦାୟକ । ଏହିସବୁ ଫଳ ଓ ପନିପରିବା ଖାଇବା ଅନୁଚିତ – ୧. ଅଙ୍ଗୁର ଓ ଚେରୀରେ କାର୍ବୋହାଇଡ୍ରେଟ୍ସ ରହିଛି । ସେଥିପାଇଁ ଅଧିକ ମାତ୍ରାରେ ଅଙ୍ଗୁର ଓ ଚେରୀ ଖାଇବା ହାନିକାରକ ହୋଇପାରେ । ୨. ପାଚିଲା ସପୁରିରେ ମଧ୍ୟ ସୁଗାର ମାତ୍ରା ଅଧିକ ରହିଛି । ସେଥିପାଇଁ ମଧୁମେହ ରୋଗୀ ପାଚିଲା ସପୁର ନ ଖାଇବା ଭଲ । ୩. ଗୋଟିଏ ପାଚିଲା ଆମ୍ବରେ ପାଖାପାଖି ୨୫-୩୦ ଗ୍ରାମ କାର୍ବୋହାଇଡ୍ରେଟ୍ସ ରହିଛି । ଏହା ବ୍ଲଡରେ ସୁଗାର ଲେଭଲ ବୃଦ୍ଧି କରିଥାଏ । ସେଥିପାଇଁ ମଧୁମେହ ରୋଗୀ ଅଧିକ ଆମ୍ବ ଖାଇବା ଅନୁଚିତ । ୪. ମଧୁମେହ ରୋଗୀ ଅଧିକ ପରିମାଣର ଡ୍ରାଏ ଫ୍ରୁଟ୍ସ ଖାଇବା ଅନୁଚିତ । ୫. ଯେଉଁ ପନିପରିବାରେ ଅଧିକ ମାତ୍ରାରେ ଷ୍ଟାର୍ଚ୍ଚ ଏବଂ କାର୍ବୋହାଇଡ୍ରେଟ୍ସ ରହିଛି, ଯେପରିକି ଆଳୁ, କଖାରୁ, ବିଟ, ମକା ଆଦି ଅଧିକ ସେବନ କରିବ ଅନୁଚିତ । ଏହାଦ୍ୱାରା ସୁଗାର ସ୍ଥର ବଢିବାର ସମ୍ଭାବନା ରହିଛି ।






