ଭୁବନେଶ୍ୱର,(ବାଘୁଆବାର୍ତ୍ତା) ଲକ୍ଡାଉନ୍ ସମୟରେ ବୁଲା ଗୋରୁ ଗାଈ କୁକୁରଙ୍କୁ ଖାଦ୍ୟ ପ୍ରଦାନ ଲାଗି ରାଜ୍ୟ ସରକାର ୬୭ ଲକ୍ଷ ୫୨ ହଜାର ଟଙ୍କା ପ୍ରଦାନ କରିଛନ୍ତି । ଲକ୍ଡାଉନ୍ ସମୟରେ ହୋଟେଲ୍ ଦୋକାନ ବଜାର ଏବଂ ଲୋକଙ୍କ ଚଳପ୍ରଚଳ ବନ୍ଦ ରହୁଥିବାରୁ ଏହି ବୁଲା ପ୍ରାଣୀ ମାନେ ବିଶେଷ ଭାବେ ପ୍ରଭାବିତ ହୋଇ ଥାଆନ୍ତି । ଏହି ଅସହାୟ ପ୍ରାଣୀଙ୍କ ଖାଦ୍ୟ ବନ୍ଦୋବସ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ଏହି ଟଙ୍କା ମଞ୍ଜୁର କରାଯାଇଛି । ୪ଟି ମହାନଗର ନିଗମ ଦିନକୁ ୧୦ ହଜାର ଟଙ୍କା ଖର୍ଚ୍ଚ କରିପାରିବେ । ରାଜଧାନୀରେ ୨୦ ହଜାର ଟଙ୍କା ଖର୍ଚ୍ଚ କରାଯାଇପାରିବ । ଅନ୍ୟ ୪୮ଟି ପୌରସଂସ୍ଥା ଦିନକୁ ୫ ହଜାର ଟଙ୍କା ଖର୍ଚ୍ଚ କରିପାରିବେ । ବିଜ୍ଞାପିତ ପରିଷଦ ଅଞ୍ଚଳ ଦୈନିକ ୨ ହଜାର ଟଙ୍କା ବୁଲା ପ୍ରାଣୀଙ୍କ ଖାଇବା ପାଇଁ ଖର୍ଚ୍ଚ କରିବେ । ପୂର୍ବରୁ ମୋଟ୍ ଏକ କୋଟି ୧୩ ଲକ୍ଷ ୯୪ ହଜାର ଟଙ୍କା ଏଥିପାଇଁଖର୍ଚ୍ଚ କରାଯାଇଛି । ଓଡିଶା ସରକାର ଦୁଇଟି ପର୍ୟ୍ୟାୟରେ ଏଥିପାଇଁ ଆର୍ଥିକ ସହାୟତା ପ୍ରଦାନ କରିଥିବା ବେଳେ ଏବେ ତୃତୀୟ ପର୍ୟ୍ୟାୟରେ ଏହାକୁ ପ୍ରଦାନ କରିଛନ୍ତି ।






