ବାଲେଶ୍ୱର,(ବାଘୁଆବାର୍ତ୍ତା): ସାପ ଦେଲା ଅଭିଷାପ । ଅନାଥ କରିଦେଲା ଦୁଇ ଛୁଆଙ୍କୁ । ବାପା ଚାଲି ଯାଇଥିଲେ ଏବେ ମାଆ ଚାଲିଗଲେ । ସାପ କରିଦେଲା ଦୁଇ ଛୁଆଙ୍କୁ ସର୍ବହରା । ପିଲାଙ୍କ ମୁଣ୍ଡରୁ ହଟିଗଲା ମାଆ ଓ ବାପାର ଡାକ । ଦୁଇ ଭାଇଙ୍କ ସ୍ୱପ୍ନ ଅଧୁରା ରହିଗଲା । ଆଉ ଡର ଲାଗିଲେ କାହାକୁ ଡାକିବେ ଦୁଇ ଭାଇ ମାଆ ବୋଲି । ବିଷଧର ସର୍ପ ଦଂଶନରେ ମାଆର ମୃତ୍ୟୁ ପରେ ଏବେ ଅନାଥ ହୋଇଛନ୍ତି ଦୁଇ ଛୁଆ ବେସାହାରା ହୋଇଛନ୍ତି ଦୁଇ କୁନି କୁନି ଭାଇ ୪ ବର୍ଷ ତଳେ ବାପା ଛେଉଣ୍ଡ ହୋଇଥିଲେ ଆଉ ଏବେ ମାଆ ଛେଉଣ୍ଡ ହୋଇଗଲେ । ନିଷ୍ଠୁର ବିଧାତା ବାପାମାଆଙ୍କୁ ନେଇଯିବା ପରେ ଭବିଷ୍ୟତ ନେଇ ଭୟଭୀତ ହୋଇପଡିଛନ୍ତି ଦୁଇ କଅଁଳ କଢି । ଯାହା ତାଙ୍କ ଏ ନୀରିହ ଆଖି ହିଁ କହୁଛି ତେବେ ସାପ କାମୁଡାର ଏ ହୃଦୟଥରା ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବଡପୋଖରୀ ପଞ୍ଚାୟତ ଦୁର୍ଗାପୁର ଗାଁରେ । ବାତ୍ୟା ପରେ ଗାଁ ଚାରିପାଖେ ବନ୍ୟାପାଣି ଘେରି ରହିଥିବାରୁ ଏକ ବିଷଧର ସାପ ଗାଁର ରାଧା ସିଂଙ୍କ ଘରେ ପଶିଯାଇଥିଲା । ମହିଳା ଜଣଙ୍କ ନିଜ ଘରେ କୁକୁଡା ମରି ପଡିବା ସହ ଅଣ୍ଡାଗୁଡିକ ଏଣେତେଣେ ପଡିଥିବା ଦେଖିଥିଲେ । ଆଉ ଅଣ୍ଡାଗୁଡିକୁ ଗୋଟାଇ କୁକୁଡା ପାଖରେ ରଖିବାକୁ ଗଲାବେଳେ ହଠାତ୍ ସେହି ବିଷଧର ସାପ ତାଙ୍କୁ ଚୋଟ ମାରିଥିଲା । ସର୍ପାଘାତ ପରେ ମହିଳାଙ୍କୁ ସୋର ଡାକ୍ତରଖାନା ନେଉଥିଲେ ହେଁ ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ସେପଟେ ମାଆ ଗଲା ପରେ ଅବାକ ହୋଇଛନ୍ତି ଏ କୁନି କୁନି ପିଲା । ୪ ବର୍ଷ ତଳେ ବାପାଙ୍କ ମୃତ୍ୟୁ ହୋଇଥିଲା । ଆଉ ବାପା ଗଲା ପରେ ଅତି ଦୁଃଖକଷ୍ଟରେ କୁନି କୁନି ପିଲାଙ୍କ ଅଳି ଅର୍ଦ୍ଦଳି ବୁଝି ମଣିଷ କରୁଥିବା ବେଳେ ଶେଷରେ ସାପ କାମୁଡାରେ ତାଙ୍କର ବି ମୃତ୍ୟୁ ହୋଇଛି । ବାପା ଚାଲିଗଲା ପରେ ମାଆ ହିଁ ଥିଲା ଦୁଇଭାଇଙ୍କ ଶକ୍ତି, ସାହସ ଓ ବଳ । ମାଆ ସ୍ନେହ ଦେଉଥିଲା, ମମତା ଦେଉଥିଲା, ଅଝଟ ବୁଝୁଥିଲା, ଆକଟ ବି କରୁଥିଲା । ଭଲରେ ନହେଲା ନାହିଁ ଦୁଃଖ କଷ୍ଟରେ ମାଆ ମୁହଁ ଚାହିଁ ବଡ ହେବାର ଜୁ ଗୋଟାଉଥିଲେ ଦୁଇ ଜଣ । ହେଲେ ସମୟ ସବୁ ସାରିଦେଲେ । ସ୍ୱପ୍ନ ଭାଙ୍ଗିଦେଲା । ଦୁନିଆ କଣ ବୁଝିବା ଆଗରୁ ଦୁନିଆ ଆଗରେ ଅନାଥ କରିଦେଲା ।






