ମୁମ୍ବାଇ (ବାଘୁଆବାର୍ତ୍ତା): କୋଭିଡ୍ ୧୯ ମହାମାରୀର ଦ୍ୱିତୀୟ ଲହରୀ ଯୋଗୁଁ ଦେଶରେ ଏକ କୋଟିରୁ ଅଧିକ ଲୋକ ବେରୋଜଗାର ହୋଇଯାଇଛନ୍ତି । ଏକ କୋଟିରୁ ଅଧିକ ଭାରତୀୟ ନିଜ ଚାକିରୀ ହରାଇଛନ୍ତି । ଗତ ବର୍ଷ ମହାମାରୀ ଆରମ୍ଭରୁ ଆଜି ପର୍ୟ୍ୟନ୍ତ ପ୍ରାୟ ୯୭ ପ୍ରତିଶତ ପରିବାରଙ୍କ ଆୟ କମିଛି । ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ୍ ଇକୋନୋମି ର ସିଇଓ ମହେଶ ବ୍ୟାସ ସୋମବାର ଏହା କହିଛନ୍ତି । ବ୍ୟାସ କହିଛନ୍ତି ଯେ ରିସର୍ଚ୍ଚ ସଂସ୍ଥାର ଆକଳନ ଅନୁସାରେ ବେକାରୀ ମଇ ମାସରେ ୧୨ ପ୍ରତିଶତ ହୋଇଛି ଯାହାକି ଏପ୍ରିଲରେ ୮ ପ୍ରତିଶତ ଥିଲା । ଏହାର ଅର୍ଥ ଏହି ସମୟ ମଧ୍ୟରେ ପ୍ରାୟ ଏକ କୋଟି ଭାରତୀୟ ନିଜ ଚାକିରୀ ହରାଇଛନ୍ତି । ସେ କହିଛନ୍ତି ଯେ ଏତେ ଲୋକ ଚାକିରୀ ହରାଇବାର ମୁଖ୍ୟ କାରଣ କେବଳ କରୋନାର ଦ୍ୱିତୀୟ ଲହରୀ । ଅର୍ଥବ୍ୟବସ୍ଥା ଧିରେ ଧିରେ ସୁଧୁରିଲେ କିଛି ସମସ୍ୟାର ସମାଧାନ ହୋଇଯିବା ଆଶା ରହିଛି କିନ୍ତୁ ଏହା ଏତେ ସହଜ ନୁହେଁ ଏବଂ ପୂର୍ବ ଭଳି ଅବସ୍ଥା ସୁଧୁରିବା ମଧ୍ୟ କାଠିକର ପାଠ ବୋଲି ସେ କହିଛନ୍ତି । ବ୍ୟାସଙ୍କ କହିବାନୁସାରେ ଯେଉଁ ଲୋକମାନେ ଚାକିରୀ ହରାଇଛନ୍ତି ସେମାନଙ୍କୁ ନୂଆ ଚାକିରୀ ମିଳିବାରେ ମଧ୍ୟ ଅନେକ ସମସ୍ୟା ଦେଖାଦେଉଛି । କହିରଖୁଛୁ ଗତ ବର୍ଷ ମେ ମାସରେ କରୋନା ଭାଇରସ ମହାମାରୀ କଟକଣା ଯୋଗୁଁ ସାରା ଦେଶରେ ଲଗାଯାଇଥିବା ଦେଶବ୍ୟାପୀ ଲକଡାଉନ ଯୋଗୁଁ ବେକାରୀ ହାର ୨୩.୫ ପ୍ରତିଶତ ରେକର୍ଡ ଭାଙ୍ଗିଥିଲା । ଅନେକ ବିଶେଷଜ୍ଞଙ୍କ କହିବାନୁସାରେ ସଂକ୍ରମଣର ଦ୍ୱିତୀୟ ଲହରୀ ଚରମ ସୀମାରେ ପହଞ୍ଚି ସାରିଛି ଏବଂ ଏବେ ରାଜ୍ୟମାନେ ଧିରେ ଧିରେ କଟକଣାରେ ଢିଲା ଦେଇ ଆର୍ଥିକ ଗତିବିଧିକୁ ଅନୁମତି ଦେବା ଆରମ୍ଭ କରିବେ । ତେବେ ୩-୪ ପ୍ରତିଶତ ବେକାରୀ ହାରକୁ ଭାରତୀୟ ଅର୍ଥବ୍ୟବସ୍ଥା ପାଇଁ ସାଧାରଣ ବୋଲି ଧରିନେବା ଉଚିତ୍ । ଏହା କୁହାଯାଉଛି କି ସ୍ଥିତି ଠିକ୍ ହେବାକୁ ସମୟ ଲାଗିପାରେ । ବ୍ୟାସ କହିଛନ୍ତି ଯେ ସିଏମଆଇଇ ଏପ୍ରିଲରେ ୧.୭୫ ଲକ୍ଷ ପରିବାରକୁ ନେଇ ଦେଶବ୍ୟାପୀ ସର୍ଭେ କରିଛି । ସର୍ଭେରେ ସାମିଲ ପରିବାର ମଧ୍ୟରେ କେବଳ ୩ ପ୍ରତିଶତ ଆୟ ବଢିବା କଥା କହିଛନ୍ତି ଯଦିଓ ୫୫ ପ୍ରତିଶତ କହିଛନ୍ତି ଯେ ସେମାନଙ୍କ ଆୟ କମିଛି । ସର୍ଭେରେ ୪୨ ପ୍ରତିଶତ କହିଛନ୍ତି ଯେ ସେମାନଙ୍କ ଆୟ ଗତ ବର୍ଷ ଭଳି ସମାନ ରହିଛି । ତେବେ କୁହାଯାଉଛି ଯେ ଯଦି ମହଙ୍ଗା ଦରକୁ ସମାନ ଭାବେ ବଣ୍ଟାଯାଏ ତେବେ ଅନୁମାନ କରାଯାଉଛି କି ଦେଶରେ ୯୭ ପ୍ରତିଶତ ପରିବାରର ଆୟ ମହାମାରୀ ସମୟରେ ହ୍ରାସ ପାଇଛି ।






