ଓଡ଼ଗାଁ,(ବାଘୁଆବାର୍ତ୍ତା): କରୋନା ମହାମାରୀ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ବିଶ୍ୱବାସୀଙ୍କ ବନ୍ଦୀ ଅବସ୍ଥାକୁ ନେଇ ଆସିଛି । ଏହା ପୂର୍ବରୁ ମଧ୍ୟ ଅନେକ ମହାମାରୀ ଆସିଛି ଏବଂ ବହୁ ଲୋକଙ୍କୁ ରୋଗାଗ୍ରସ୍ତ କରିଛି । ଅନେକ ନୂଆ ନୂଆ ରୋଗ ମଣିଷ ସମାଜକୁ କ୍ଷତଗ୍ରସ୍ତ କରି ପକାଇଛି । ମାତ୍ର ବହୁ ଆଦିବାସୀ ତଥା ଜଗଲ ନିକଟସ୍ଥ ଗ୍ରାମବାସୀଙ୍କୁ ମହାମାରୀ ଏବଂ ନୂଆ ରୋଗ ଛୁଇଁ ପାରିନଥିବା ଜଣାଯାଇଛି । ପାକୃତିକ ପରିବେଶ ଏବଂ ପାକୃତିକ ଖାଦ୍ୟ ସେମାନଙ୍କୁ ଆଜି ପର୍ୟ୍ୟନ୍ତ ନିରୋଗ ରଖିପାରିଛି । କେବେ କିଛି ସାଧାରଣ ରୋଗ ହେଲେ ଜଡ଼ିବୁଟି ସେମାନଙ୍କ ପାଇଁ ସବୁଠାରୁ ଭଲ ଔଷଧ ଭାବେ କାମ କରୁଛି । ଏଭଳି ଏକ ଗାଁ ହେଉଛି, ଓଡ଼ଗାଁ ବ୍ଲକ ସୁନାମୁହଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସିଧାପଲ୍ଲୀ ଗ୍ରାମ । ମାତ୍ର ୧୦ଟି ପରିବାର ଏବଂ ୫୦ ଜନସଂଖ୍ୟାକୁ ନେଇ ଗଠିତ ଗ୍ରାମଟି ଜଙ୍ଗଲ ପରିବେଶ ମଧ୍ୟରେ ରହିଛି । ବାଲିସିଂସା ଗୋଡ଼ିିପୋଖରୀଠାରୁ ଜଙ୍ଗଲ ଭିତରକୁ ୪ଟି କିଲୋମିଟର ଯିବା ପରେ ଗାଁଟି ପଡ଼ୁଥିବା ବେଳେ ଏଠାକାର ଲୋକେ ଚାଷବାଷ ଉପରେ ନିର୍ଭରଶୀଳ ବୋଲି ଜଣାଯାଇଛି । ଗ୍ରାମରେ ଅନେକ ସମସ୍ୟା ରହିଛି, ତଥାପି ପାକୃତିକ ପରିବେଶ ତାଙ୍କୁ ସେଠାରେ ବର୍ଷ ବର୍ଷ ଧରି ଜୀବନ ବଞ୍ଚାଇବାରେ ସାହାର୍ୟ୍ୟ କରି ଆସିଛି ବୋଲି ଗ୍ରାମର ଭୁବନ ପ୍ରଧାନ କହିଛନ୍ତି । ୭୦ ବର୍ଷ ବୟସ୍କ ଭୁବନ ଗ୍ରାମବାସୀଙ୍କୁ ଦୀର୍ଘବର୍ଷ ହେବ କୈାଣସି ମହାମାରୀ ତଥା ରୋଗ କ୍ଷତିଗ୍ରସ୍ତ କରିନଥିବା କହିଛନ୍ତି । ସାଧାରଣ ରୋଗ ପାଇଁ ସେମାନେ ଜଡ଼ିବୁଟି ଉପରେ ନିର୍ଭର କରୁଥିବା ବେଳେ କେବଳ ପ୍ରସୂତି ମହିଳାଙ୍କୁ ଡାକ୍ତରଖାନା ନିଆଯାଉଥିବା ସୂଚନା ଦେଇଛନ୍ତି । ଗାଁ ବୈଦ୍ୟଙ୍କ ପାଖରୁ ଚିକିତ୍ସା ପାଇଁ ଲୋକମାନେ ରୋଗମୁକ୍ତ ହେଉଥିବା ବେଳେ ପାକୃତିକ ପରିବେଶ ଏବଂ ଦେଶୀ ଖାଦ୍ୟ ସେମାନଙ୍କୁ ବଡ଼ ବଡ଼ ରୋଗଠାରୁ ଦୂରେଇ ରଖିଥିବା ସୂଚନା ଦେଇଛନ୍ତି । ଗ୍ରାମର ସନ୍ତୋଷ ପ୍ରଧାନ, ପବନା ପ୍ରଧାନ, ଯଦୁମଣୀ ପ୍ରଧାନଙ୍କ କହିବାନୁସାରେ, ଗାଁ ଚାରିପଟେ ବ୍ୟାପକ ପରିମାଣ ବୃକ୍ଷଲତା ରହିଛି । ଜଙ୍ଗଲ ମଧ୍ୟରେ ଗ୍ରାମର ଅବସ୍ଥିତି କାରଣରୁ ଧୂଳି ଧୂଆଁରୁ ମଧ୍ୟ ମୁକ୍ତି ମିଳୁଛି । ଏଣୁ କେବଳ କରୋନା ନୁହେଁ, ୨୦ରୁ ୨୫ ବର୍ଷ ମଧ୍ୟରେ ଆସିଥିବା ଅନ୍ୟ ମହାମାରୀ ମଧ୍ୟ ଗ୍ରାମକୁ ଛୁଇଁ ପାରି ନାହିଁ । ଗ୍ରାମବାସୀ ବାହାର ଅଞ୍ଚଳକୁ କମ ସମୟ ଯାତାୟତ କରୁଛନ୍ତି । ବାହାରୁ ଆସିବା ପରେ ଲୋକମାନେ ଗାଧୋଇ ପାଧୋଇ ଘରକୁ ଆସନ୍ତି । ପାରମ୍ପରିକ ରୀତି, ନୀତି ଏବଂ ଚଳଣି ଏବେ ବି ଗାଁରେ ରହିଛି ବୋଲି ସେମାନେ କୁହନ୍ତି । ଏଥିସହିତ ଗ୍ରାମର କିଛି ବ୍ୟକ୍ତିଙ୍କୁ ଆବାସ ଯୋଜନା ମିଳିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସେମାନଙ୍କୁ ସରକାରଙ୍କ ପକ୍ଷରୁ ଆବାସ ପ୍ରଦାନ କରାଯିବାକୁ ଦାବି କରିଛନ୍ତି ।






