ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): ସାରା ଦେଶରେ କରୋନା ଭୂତାଣୁ ସହ ଲଢୁଥିବା ହଜାର ହଜାର ଡାକ୍ତର ଆଜି ପାଳୁଛନ୍ତି ‘କଳା ଦିବସ’ । ଯୋଗଗୁରୁ ରାମଦେବଙ୍କ ଏଲୋପାଥି ଉପରେ ଦେଇଥିବା ବିବୃତ୍ତିକୁ ବିରୋଧ କରି ସାରା ଦେଶର ଡାକ୍ତରମାନେ ତାଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ଦାବି କରୁଛନ୍ତି । ଫେଡେରେସନ୍ ଅଫ୍ ରେସିଡେଣ୍ଟ ଡାକ୍ତରମାନେ କଳା ଦିବସ ପାଳନ କରୁଛନ୍ତି । କିନ୍ତୁ ରୋଗୀ ସେବାରେ କୌଣସି ବାଧା ହେଉନି । କାରଣ ଏମାନେ ପର୍ୟ୍ୟାୟ କ୍ରମେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । କିଛି ଡାକ୍ତର ଅର୍ଥାତ ଯେଉଁମାନେ ରୋଗୀ ସେବା କରୁଛନ୍ତି ସେମାନେ ହାତରେ କଳା ବ୍ୟାଜ୍ ପିନ୍ଧି କାମ କରୁଛନ୍ତି । ଦିଲ୍ଲୀ (ଏଆଇଆଇଏମଏସ) ବାହାରେ ହାତରେ ପ୍ଲାକାଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଡାକ୍ତର । ଫେଡେରେସନ୍ ଅଫ୍ ରେସିଡେଣ୍ଟ୍ ଡାକ୍ତର ଆସୋସିଏସନ୍ ଇଣ୍ଡିଆ (ଫୋର୍ଡା) ଘୋଷଣା କରିଛି ଯେ ଏହାର ସମସ୍ତ ସଦସ୍ୟ ଡାକ୍ତରମାନେ ଦେଶର ବିଭିନ୍ନ ସ୍ଥାନରେ ବ୍ଲାକ୍ ଡେ ପାଳନ କରୁଛନ୍ତି । ଏହି ସମୟ ମଧ୍ୟରେ, ସମସ୍ତ ସ୍ୱାସ୍ଥ୍ୟ କର୍ମୀ ପିପିଏ କିଟ୍ ଉପରେ ଏକ କଳା ବ୍ୟାଣ୍ଡ ବାନ୍ଧି କାମ କରୁଛନ୍ତି । ତେବେ ଡାକ୍ତରଙ୍କ ଏହି ବିକ୍ଷୋଭରୁ ରୋଗୀ ସେବାକୁ ପ୍ରାଧାନ୍ୟ ଦିଆଯାଉଛି ।






