ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ କରୋନା ସ୍ଥିତି ଜଟିଳ ହେବାକୁ ବସିଛି । ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ସହ ଜିଲ୍ଲାରେ ଆଜି ୨୮୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି । ଜିଲ୍ଲାରେ ୨୫୯୯ ସକ୍ରିୟ ମାମଲା ରହିଥିବା ବେଳେ ୨୬୫ ଶର୍ଯ୍ୟାରେ କରୋନା ମୁକାବିଲା ଚାଲିଥିବା ସୂଚନା ମିଳିଛି । ନୟାଗଡ଼ ଜିଲ୍ଲାରେ କରୋନା ସଂକ୍ରମିତ ରୋଗୀଙ୍କୁ ଗୃହ ସଂଗରୋଧରେ ରଖା ଯାଉଥିବା ବେଳେ ଗୁରୁତର ରୋଗୀଙ୍କୁ ଖଣ୍ଡପଡ଼ା କୋଭିଡ୍ କେୟାର ସେଣ୍ଟର ଏବଂ ଚାନ୍ଦପୁର କୋଭିଡ୍ ହସ୍ପିଟାଲରେ ଚିକିତ୍ସା କରାଯିବାର ବ୍ୟବସ୍ଥା କରାଯାଇଛି । ମିଳିଥିବା ସୂଚନାନୁସାରେ, ଚାନ୍ଦପୁର କୋଭିଡ୍ ହସ୍ପିଟାଲରେ ୧୦୦ ଟି ଅମ୍ଲଜାନ ସଲଗ୍ନ ଶର୍ଯ୍ୟା ରହିଛି । ଏଥିସହିତ ସେଠାରେ ୧୬ଟି ଆଇସିୟୁ, ୨୪ଟି ସେମି ଆଇସିୟୁ ଶର୍ଯ୍ୟାର ବ୍ୟବସ୍ଥା ରହିଛି । ଖଣ୍ଡପଡ଼ା କୋଭିଡ କେୟାର ସେଣ୍ଟରରେ ୧୨୫ଟି ଅମ୍ଲଜାନ ସଲଗ୍ନ ଶର୍ଯ୍ୟା ରହିଥିବା ସୂଚନା ମିଳିଛି । ଜିଲ୍ଲାରେ ସକ୍ରିୟ ଆକ୍ରାନ୍ତଙ୍କ ମଧ୍ୟରୁ ୨ ହଜାରରୁ ଉଦ୍ଧ୍ୱର୍ ବ୍ୟକ୍ତି ଗୃହ ସଂଗରୋଧରେ ରହିଛନ୍ତି । ସେମାନଙ୍କୁ କେବଳ କରୋନା କୀଟ ଦିଆଯାଇଥିବା ବେଳେ ବହୁ ବ୍ୟକ୍ତି ଜ୍ୱରରେ ଆକ୍ରାନ୍ତ ହୋଇ ପଡ଼ି ରହିଥିବା ଜଣାଯାଇଛି । ସବୁଠାରୁ ଅଧିକ ଆକ୍ରାନ୍ତ ନୟାଗଡ଼ ପୈାରାଞ୍ଚଳ ଏବଂ ନୟାଗଡ଼ ବ୍ଲକରୁ ଚିହ୍ନଟ ହେଉଥିବା ବେଳେ ମାଇକ୍ରୋ କଣ୍ଟେନମେଣ୍ଟ କେବଳ କାଗଜ କଲମରେ ସୀମିତ ରହୁଥିବା ଦେଖିବାକୁ ମିଳୁଛି । କଣ୍ଟେନମେଣ୍ଟ ଅଞ୍ଚଳରେ ପରୀକ୍ଷା, ବିଶୋଧନ, ସ୍ୱାସ୍ଥ୍ୟ ଯାଞ୍ଚ ନେଇ ପଦକ୍ଷେପ ଗ୍ରହଣ କରାଯାଉନଥିବା ବିଭିନ୍ନ ସ୍ଥାନରୁ ଅଭିଯୋଗ ହେଉଛି । ଏପରିକି ମାଇକ୍ରୋ କଣ୍ଟେନମେଣ୍ଟ ଅଞ୍ଚଳ ଲୋକେ ବେଶ ଆରାମରେ ବାହାରକୁ ଆସି ବୁଲାବୁଲି କରୁଥିବା ଦେଖା ଯାଇଛି । ଯାହାକି ଜିଲ୍ଲାରେ ଭୟାବହ ପରିସ୍ଥିତି ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି ।






