କୋଲକାତା (ବାଘୁଆବାର୍ତ୍ତା): ପଶ୍ଚିମବଙ୍ଗ ସରକାର ଓ ମୋଦି ସରକାରଙ୍କ ମଧ୍ୟରେ ରାଜନୈତିକ ତିକ୍ତତା ଆହୁରି ବଢ଼ିବାରେ ଲାଗିଛି। ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ଗତକାଲି କେନ୍ଦ୍ର ସରକାର ଦିଲ୍ଲୀ ବଦଳି କରିବା ପରେ ଏହି ନିର୍ଦ୍ଦେଶକୁ ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଯୋଡ଼ହସ୍ତରେ ଅନୁରୋଧ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତା ସହିତ ଘୃଣ୍ୟ ରାଜନୀତି ନ କରିବା ପାଇଁ ସେ ନିବେଦନ କରିଛନ୍ତି। ଗତକାଲି ବାତ୍ୟା ୟାସ୍ର ହୋଇଥିବା କ୍ଷୟକ୍ଷତିର ସମୀକ୍ଷା କରିବା ପାଇଁ ଓଡ଼ିଶା ପରେ ପଶ୍ଚିମବଙ୍ଗ ଯାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେଠାରେ ବାତ୍ୟା ସମୀକ୍ଷା ବୈଠକରେ ପ୍ରାୟ ୩୦ ମିନିଟ ବିଳମ୍ବରେ ପହଞ୍ଚିଥିଲେ ମମତା। କେବଳ ସେତିକି ନୁହେଁ ମୁଖ୍ୟ ଶାସନ ସଚିବ ଅଲାପନ ବନ୍ଦୋପାଧ୍ୟାୟ ମଧ୍ୟ ୩୦ ମିନିଟ୍ ବିଳମ୍ବରେ ପହଞ୍ଚିଥିଲେ। ମମତା ବିଳମ୍ବରେ ପହଞ୍ଚିବା ପରେ ବି ବାତ୍ୟା ସମ୍ପର୍କିତ କାଗଜପତ୍ର ଦେଇ ସମୀକ୍ଷା ବୈଠକ ନବସି ସେଠାରୁ ଚାଲିଯାଇଥିଲେ। ଏହାପରେ ରାଜ୍ୟ ବିଜେପି ଓ କେନ୍ଦ୍ରୀୟ ନେତାମାନେ ମଧ୍ୟ ମମତାଙ୍କ ଏଭଳି ଆଚରଣକୁ କଡ଼ା ସମାଲୋଚନା କରିବା ସହିତ ଏହାର କିଛି ଘଣ୍ଟା ପରେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ରକୁ ବଦଳି କରାଯାଇଥିଲା। ଏଥିପାଇଁ ସନ୍ଧ୍ୟାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୋଟିସ୍ ମଧ୍ୟ କରାଯାଇଥିଲା। ଏହି ଘଟଣା ପରେ ମୁଖ୍ୟ ଶାସଚ ସଚିବଙ୍କୁ ବଦଳି ନ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଯୋଡ଼ହସ୍ତରେ ନିବେଦନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତା ସହିତ ଏଭଳି ଘୃଣ୍ୟା ରାଜନୀତି ନ କରାଯାଉ ବୋଲି କହିଛନ୍ତି ମମତା। ଏକ ସାମ୍ବାଦିକ ସମ୍ମିଳନୀର କରି ମମତା କହିଛନ୍ତି ” ରାଜନୈତିକ ପ୍ରତିଶୋଧ ପାଇଁ ଏଭଳି ଘୃଣ୍ୟ ରାଜନୀତି କରନି। ଏହି କୋଭିଡ୍ ସମୟରେ ବାତ୍ୟା ପ୍ରଭାବିତ ଲୋକମାନଙ୍କ ପାଇଁ ଆମକୁ କାମ କରିବାକୁ ଦିଅ।” ଏଥିସହିତ କେନ୍ଦ୍ର ସରକାରଙ୍କର ଏଭଳି ପଦକ୍ଷେପକୁ ଅସାମ୍ଭିଧାନିକ ବୋଲି ମମତା କହିଛନ୍ତି।






