ସୁନ୍ଦରଗଡ଼ (ବାଘୁଆବାର୍ତ୍ତା): ଅଲ୍ଟ୍ରାସାଉଣ୍ଡ ପାଇଁ ଅପେକ୍ଷା କରିଥିଲେ ୧୩ ଜଣ ଗର୍ଭବତୀ। ସକାଳ ୯ଟାରୁ ଦିନ ୧୨ଟା ବାଜି ଯାଇଥିଲେ ବି କେହି ସେମାନଙ୍କୁ ବାସିରେ ପଚାରି ନଥିଲେ। କିନ୍ତୁ ଜିଲ୍ଲାପାଳଙ୍କ ପତ୍ନୀ ଆସିବା କ୍ଷଣି ନର୍ସଙ୍କ ଠାରୁ ଆରମ୍ଭ କରି ସିଡିଏମ୍ଓଙ୍କ ପର୍ୟ୍ୟନ୍ତ ସମସ୍ତେ ହାଜର ହୋଇଯାଇଥିଲେ। ଆଉ ଅଧାଘଣ୍ଟା ଧରି ଚାଲିଥିଲା ଜିଲ୍ଲାପାଳଙ୍କ ପତ୍ନୀଙ୍କ ଅଲଣ୍ଟ୍ରାସାଉଣ୍ଡ। ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭିଆଇପି ଚାଷ ଚିକିତ୍ସା ସେବାରେ ପାତରଅନ୍ତରକୁ ନେଇ ଆସିଛି ଏମିତି ଅଭିଯୋଗ। ଆଉ ଏ ସଂପର୍କିତ ଏକ ଭିଡିଓ ବି ଭାଇରାଲ ହେଉଛି। ସୁନ୍ଦରଗଡ଼ର ଖମାରୀପଡ଼ାର ଦୀପାଞ୍ଜଳି ପତି ନାମ୍ନୀ ଜଣେ ୯ ମାସର ଗର୍ଭବତୀ ଆଣିଛନ୍ତି ଏଭଳି ସାଂଘାତିକ ଅଭିଯୋଗ। ଦୀପାଞ୍ଜଳିଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ଭଳି ଆହୁରି ୧୨ ଜଣ ଗର୍ଭବତୀ ଶୁକ୍ରବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଲଟ୍ରାସାଉଣ୍ଡ ପାଇଁ ଯାଇଥିଲେ। ସକାଳ ୯ଟାରୁ ୧୧ଟା ପର୍ୟ୍ୟନ୍ତ ସେମାନେ ବସି ରହିଥିଲେ। କିନ୍ତୁ ସେତେବେଳ ଯାଏ ଡାକ୍ତରଙ୍କ ଦେଖା ମିଳି ନଥିଲା। କିନ୍ତୁ ୧୧ଟା ବେଳେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ପତ୍ନୀ ସରକାରୀ ଗାଡ଼ିରେ ଆସି ଡାକ୍ତରଖାନାରେ ପହଞ୍ଚିଥିଲେ। ସେ ଆସିବା କ୍ଷଣି ଡାକ୍ତର ପ୍ରକଟ ହୋଇଗଲେ। ଅଧାଘଣ୍ଟା ଧରି ତାଙ୍କର ଅଲଟ୍ରାସାଉଣ୍ଡ କରାଯାଇଥିଲା। ତା’ପରେ ସେମାନଙ୍କ ପାଳି ପଡ଼ିଥିଲା। କିନ୍ତୁ ସେମାନଙ୍କୁ ଅଲଟ୍ରାସାଉଣ୍ଡ କରିବାକୁ ଡାକ୍ତର ମାତ୍ର ୫ ମିନିଟ୍ ଲେଖାଏଁ ସମୟ ଦେଇଥିଲେ।






