ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଜୁନ୍ ପହିଲାରୁ ରାଜ୍ୟରେ ଥିବା ସମସ୍ତ ବିଏଡ କଲେଜ ଗୁଡିକ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନକୁ ଆସିବ। ଏବେ ରାଜ୍ୟର କିଛି ବିଏଡ୍ କଲେଜ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଓ ଅନ୍ୟ କିଛି କଲେଜ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଅଧୀନରେ ରହିଛି। ତେବେ ଭିନ୍ନ ଭିନ୍ନ ବିଭାଗ ଅଧୀନରେ ଥିବା ଏହି ସମସ୍ତ ବିଏଡ୍ କଲେଜ ଉଚ୍ଚଶିକ୍ଷା ବିଭାଗ ଅଧୀନକୁ ଆସିବା ପାଇଁ ଏକ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରାଯାଇଛି। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଲୋକସେବା ଭବନରେ ଉଚ୍ଚଶିକ୍ଷା ବିଭାଗ କ୍ୟାମ୍ପସ-୧ରେ ନୂତନଭାବେ ଶିକ୍ଷକ ଶିକ୍ଷା ବିଭାଗ ପରିଚାଳନା ଲାଗି ସ୍ୱତନ୍ତ୍ର ସ୍ଥାନ ନିର୍ଦ୍ଧାରଣ କରାଯାଇଛି। ଏହି ନୂଆ ବିଭାଗର ପରିଚାଳନା ଲାଗି ଡ.ସ୍ନିଗ୍ଧା ମିଶ୍ରଙ୍କୁ ଉପ ନିର୍ଦ୍ଦେଶକ ଏବଂ ଡ ସାରଦା ମିଶ୍ରଙ୍କୁ ସହକାରୀ ନିର୍ଦ୍ଦେଶକ ଭାବେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଯୁକ୍ତ କରାଯାଇଛି। ଏହି ଦୁଇଜଣଙ୍କ ଅଧୀନରେ ବିଏଡ କଲେଜର ସମସ୍ତ କାର୍ୟ୍ୟକ୍ରମ ପରିଚାଳିତ ହେବ ବୋଲି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ସୂଚନା ଦେଇଛନ୍ତି।






