ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): ଦେଶରେ କରୋନାକୁ ରୋକିବା ପାଇଁ ଲକଡାଉନ ଓ ସଟଡାଉନ କରାଯାଇଛି । ଏହାମଧ୍ୟରେ ଟିକାକୁ ନେଇ ରାଜନିତୀ କରଣ ଆରମ୍ଭ ହୋଇଛି । କରୋନା ବିରୋଧୀ ଲଢ଼େଇ ଆହୁରି ଜୋରଦାର ହେବ। ଟିକାକରଣ ହିଁ କରୋନା ଭାଇରସ ବିରୋଧରେ ଏକମାତ୍ର ଅସ୍ତ୍ର ହୋଇଥିବାରୁ ଏହାକୁ ଅଧିକ ବ୍ୟାପକ କରାଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଜାନୁଆରୀ ୧୬ରୁ ଦେଶରେ ଟିକାକରଣ ଆରମ୍ଭ ହୋଇଥିଲେ ହେଁ ଏଯାଏ କେବଳ ୨୦ କୋଟି ଲୋକଙ୍କୁ ଟିକା ଦିଆଯାଇ ପାରିଛି। ସେହିପରି ଦେଶର ମୋଟ ଜନସଂଖ୍ୟାର ୩%ରୁ କମ ଲୋକ ଟିକାର ଡବଲ ଡୋଜ୍ ନେଇଛନ୍ତି। କେନ୍ଦ୍ର ସରକାର ଠିକ୍ ଭାବେ ଟିକା ଯୋଗାଇ ପାରୁ ନଥିବାରୁ ଟିକାକରଣ କାର୍ୟ୍ୟକ୍ରମ ତ୍ୱରାନ୍ୱିତ ହୋଇ ପାରୁ ନଥିବା ବିଭିନ୍ନ ରାଜ୍ୟର ସରକାରମାନେ ଅଭିଯୋଗ କରୁଛନ୍ତି। ଏସବୁ ଭିତରେ ଆଜି କେନ୍ଦ୍ର ସରକାର ଟିକାକରଣ ସମ୍ପର୍କରେ ବଡ଼ ଘୋଷଣା କରିଛନ୍ତି। ଚଳିତ ବର୍ଷ ଶେଷ ସୁଦ୍ଧା ଦେଶର ସମସ୍ତ ନାଗରିକଙ୍କ ଟିକାକରଣ କାର୍ୟ୍ୟକ୍ରମ ଶେଷ ହେବ ବୋଲି ଆଜି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି। ଏହାପୂର୍ବରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଧିମା ଟିକାକରଣକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ। ଏଥିସହ ସେ କେନ୍ଦ୍ର ସରକାରଙ୍କୁ ଟିକାକରଣ ଶୈଳୀ ବଦଳାଇ ସମସ୍ତଙ୍କୁ ଯଥାଶୀଘ୍ର ଟିକାର ଡୋଜ୍ ଦେବାକୁ ପରାମର୍ଶ ଦେଇଥିଲେ। ଏହାପରେ ପ୍ରକାଶ ଜାଭଡେକର ଡିସେମ୍ବର ସୁଦ୍ଧା ଟିକା ସମସ୍ତଙ୍କୁ ଦିଆଯିବ ବୋଲି କହିଛନ୍ତି। ଟିକାକରଣ କାର୍ୟ୍ୟକ୍ରମ ଉପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବ୍ଲୁ ପ୍ରିଣ୍ଟ ମଧ୍ୟ ଜାଭଡେକର ଆଜି ରାହୁଲ ଗାନ୍ଧିଙ୍କୁ ଦେଖାଇଛନ୍ତି। ସେ କହିଛନ୍ତି, ଡିସେମ୍ବର ସୁଦ୍ଧା ୧୦୮ କୋଟି ଲୋକଙ୍କୁ ଟିକା ଦିଆଯିବ। ସମସ୍ତେ ମନେ ରଖିବା ଦରକାର ଯେ ଭାରତ ବିଶ୍ୱର ଦ୍ୱିତୀୟ ରାଷ୍ଟ୍ର ଭାବେ ଖୁବକମ ସମୟରେ ଅଧିକ ଲୋକଙ୍କ ଟିକାକରଣ କରିବାର ରେକର୍ଡ କରିଛି। ବର୍ତ୍ତମାନ ସୁଦ୍ଧା ୨୦ କୋଟିରୁ ଅଧିକ ଲୋକଙ୍କୁ ଟିକାର ଡୋଜ୍ ଦିଆଯାଇ ସାରିଛି। ଭାରତର ଟିକାକରଣ କାର୍ୟ୍ୟକ୍ରମ ୨୦୨୧ ସରିବା ପୂର୍ବରୁ ଶେଷ ହେବ।






