ବରଗଡ଼, (ବାଘୁଆବାର୍ତ୍ତା): ସାମ୍ବାଦିକର ପରିଚୟ ଦେଇ ବିଭିନ୍ନ ଅଞ୍ଚଳ ବୁଲି ଟଙ୍କା ଆଦାୟ କରୁଥିବା ନେଇ ଏକ ଅଭିଯୋଗ ହେବା ପରେ ପୁଲିସ୍ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନକଲି ସାମ୍ବାଦିକଙ୍କ ସହ ୩ଜଣ ଅଭିଯୁକ୍ତଙ୍କୁ ଗିରଫ୍ କରିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ବରଗଡ଼ ଥାନା ଅଞ୍ଚଳରେ । ସୂଚନାନୁସାରେ, ନିଜକୁ ସାମ୍ବାଦିକର ପରିଚୟ ଦେଇ ଏକ ବୋଲେରୋ ଗାଡ଼ିରେ ନ୍ୟୁଜ୍ ୨୪ ଲେଖୀ ବିଭିନ୍ନ ପଞ୍ଚାୟତକୁ ଗମନ କରି ଯୋଗାଣ ସହାୟକଙ୍କ ଠାରୁ ମୋଟା ଅଙ୍କ ଅର୍ଥ ଆଦାୟ କରିଛନ୍ତି । ଏନେଇ କପାସିଆ ସରପଞ୍ଚ ବିଷ୍ଣୁ ପ୍ରଧାନ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ଆମ୍ବାଭୋନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଥାନାକୁ ଆଣି ପଚରାଉଚରା କରିବା ସହ ଥାନାରେ ୪୨୦ରେ ମାମଲା ଋଜୁ କରି ୩ଜଣଙ୍କୁ ଗିରଫ୍ କରିଛି । ଗିରଫ୍ ହୋଇଥିବା ନକଲି ସାମ୍ବାଦିକ ମାନେ ହେଲେ ଆଶିଷ କୁମାର ଭୁଏ, ବିଶ୍ୱପତି ସାହୁ ଓ ଭାରିରଥି ଭୋଇ । ସେମାନଙ୍କ ଠାରୁ ଗୋଟିଏ ବୋଲେରା ଗାଡ଼ି, ନ୍ୟୁଜ୍ ୨୪ ବୁମ୍, ୨ଟି ଆଇ କାର୍ଡ, ୫ଟି ମୋବାଇଲ୍ ଓ ଗୋଟିଏ ଲାପଟପ୍ ଜବତ କରିବା ସହ ସେମାନଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।






