ବାଙ୍ଗାଲୋର (ବାଘୁଆବାର୍ତ୍ତା): ବେଙ୍ଗାଲୁରୁରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଓ ଶାରୀରିକ ନିର୍ୟାତନା ଦେବା ଅଭିଯୋଗରେ ୫ଜଣ ବାଂଲାଦେଶୀଙ୍କୁ ଗିରଫ କରିଛି। ଏହି ସବୁ ଘଟଣାର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ବାଙ୍ଗାଲୁରୁ ପୋଲିସ ଏନେଇ କହିଛି ଯେ, ଭିଡିଓ କ୍ଲିପକୁ ଆଧାର କରି ଜଣେ ମହିଳାଙ୍କ ସମେତ ପାଞ୍ଚ ଅଭିଯୁକ୍ତଙ୍କୁ ତୁରନ୍ତ ବାଙ୍ଗାଲୁରୁ ନଗର ପୋଲିସ ଖୋଜାଖୋଜି କରି ଗିରଫ କରିଛି। ଭିଡିଓରେ ଏହି ଲୋକମାନେ ମହିଳାଙ୍କୁ ଦୁଷ୍କର୍ମ ଓ ଶାରୀରିକ ନିର୍ୟାତନା ଦେଉଥିବା ଦେଖିବାକୁ ମିଳିଛି। ଏହା ସହିତ ଅଭିଯୁକ୍ତମାନେ ଭିଡ଼ିଓ ମଧ୍ୟ ଉତ୍ତୋଳନ କରିଥିଲେ। ସମସ୍ତ ଅଭିଯୁକ୍ତ ବାଂଲାଦେଶର ବୋଲି ପୋଲିସ ସୂଚନା ଦେଇଛି। ମାମଲାର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ପୀଡ଼ିତାଙ୍କୁ ବେଆଇନ ଭାବେ ଭାରତ ଅଣାଯାଇଥିଲା। ପୀଡ଼ିତା ଜଣକ ପେଡ଼ୋଶୀ ରାଜ୍ୟରେ ଅଛନ୍ତି। ପୀଡ଼ିତାଙ୍କୁ ଉଦ୍ଧାର କରି ତଦନ୍ତରେ ସାମିଲ କରିବା ପାଇଁ ପୋଲିସ ଚେଷ୍ଟା ଜାରି ରଖିଛି। ତେବେ ଅର୍ଥନୈତିକ କାରବାରକୁ ନେଇ ଏଭଳି ଅମାନୁଷିକ କାଣ୍ଡ ଘଟାଇଥିବା ପୋଲିସ କହୁଛି। ଏହି ମାମଲାର ତଦନ୍ତ ପାଇଁ ୩ଜଣ ଇନ୍ସପେକ୍ଟରଙ୍କ ନେତୃତ୍ବରେ ୩ ପୋଲିସ ଟିମ୍ ଗଠନ କରାଯାଇଛି। ଶୁକ୍ରବାର ଦିନ ଅଭିଯୁକ୍ତଙ୍କୁ ଅଦାଲତରେ ହାଜର କରାଯିବ ବୋଲି ପୋଲିସ କହିଛି।






