ମାଲକାନଗିରି (ବାଘୁଆବାର୍ତ୍ତା): କରୋନା ମହାମାରୀ ଅନେକ ଲୋକଙ୍କ ଜୀବନ ଶୈଳୀକୁ ବଦଳାଇ ଦେଇଛି । କରୋନା ମହାମାରୀ ସଙ୍କଟରେ ଲକଡାଉନ ଯୋଗୁଁ ଜୀବନ ବଞ୍ଚିବା ପାଇଁ ପ୍ରୟାସ କରାଯାଉଥିବା ବେଳେ ଅନେକଙ୍କ ଜୀବିକା ପ୍ରଭାବିତ ହୋଇଛି । ଜଣେ ବ୍ୟକ୍ତି ୨୪ ଲକ୍ଷ ଟଙ୍କାର କାର ଚଢ଼ୁଥିଲେ । ଏବେ ରାସ୍ତାକଡରେ ବିକୁଛନ୍ତି ପରିବା । ଏପରି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ସୀମାନ୍ତରେ ଥିବା ଧରମପୁର ଅଞ୍ଚଳରେ । ମାଲକାନଗିରିକୁ ଲାଗିଥିବା ଏହି ଅଞ୍ଚଳ ରହିଛି ଛତିଶଗଡରେ । ଏବେ ପନି ପରିବା ଏବଂ ଫଳମୂଳ ବିକି ନିଜ ପରିବାରକୁ ଚଳାଉଛନ୍ତି । ନାରାୟଣ ସା, ସେ ଥିଲେ ଏକ ବେକରୀ ଏବଂ କେତେକ ଦୋକାନର ମାଲିକ । ୧୦ ଜଣ ଲୋକଙ୍କୁ ନିଯୁକ୍ତି ଦେଇଥିଲେ । ୨୪ ଲକ୍ଷ ଟଙ୍କାର କାର କିଣି ଯିବା ଆସିବା କରୁଥିଲେ । ହେଲେ ଲକଡାଉନରେ ବେକରୀ ବ୍ୟବସାୟ ଭଲ ଚାଲିଲା ନାହିଁ । ସେ କର୍ମଚାରୀଙ୍କୁ ଛଟେଇ କରିଦେଲେ । ନିଜ ଘର ଚଳାଇବା ପାଇଁ ପରିବା ଏବଂ ଫଳ ବ୍ୟବସାୟ ଆରମ୍ଭ କରିଛନ୍ତି । ଏବେ ସେ କାରରେ ପନିପରିବା ଏବଂ ଫଳ ବୋହୁଥିବା ବେଳେ ରାସ୍ତାକଡରେ ପନିପରିବା ବିକୁଛନ୍ତି । ଏପରି ଆତ୍ମନିର୍ଭରଶୀଳ ହୋଇଥିବାରୁ ବି ସେ ବେଶ ଖୁସୀ । ପରିବାର ବିକୁଥିଲେ ମଧ୍ୟ ସେ ପରିବାର ପ୍ରତିପୋଷଣ ପାଇଁ ଅନ୍ୟ ଆଗର ହାତ ପତାଉନଥିବାର ଉଦାହରଣ ସମସ୍ତଙ୍କ ପାଇଁ ଖୁସି ଆଣି ଦେଇଛି ।






