ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): ନିକଟରେ ଗାୟିକା ଅନୁରାଧା ପୌଡୱାଲ ସ୍ୱତନ୍ତ୍ର ଅତିଥି ଭାବେ ସିଙ୍ଗିଙ୍ଗ ରିୟଲିଟି ସୋ ‘ଇଣ୍ଡିଆନ ଆଇଡଲ ୧୨’ ରେ ଯୋଗ ଦେଇଥିଲେ । ଅନୁରାଧା ପୌଡୱାଲ ବଲିଉଡର ଜଣେ ଜଣାଶୁଣା ଗାୟିକା । ଆଜି ବି ଲୋକମାନେ ତାଙ୍କର ସୁମଧୁର ସ୍ୱର ପାଇଁ ପାଗଳ, କିନ୍ତୁ ଗତ ବର୍ଷଠାରୁ ତାଙ୍କ ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଛି । ସେ ତାଙ୍କର ଏକମାତ୍ର ପୁଅ ଆଦିତ୍ୟଙ୍କୁ ହରାଇଛନ୍ତି । ଯାହାର ଦୁଃଖରୁ ଅନୁରାଧା ଆଜି ପର୍ଯ୍ୟନ୍ତ ବାହାରି ପାରୁ ନାହାଁନ୍ତି । ନିକଟରେ ଏକ ଇଣ୍ଟରଭ୍ୟୁରେ ଅନୁରାଧା କହିଛନ୍ତି, ‘ଆଦିତ୍ୟ ସବୁବେଳେ ମୋ ସହିତ ଅଛି । ସେ ମୋ ହୃଦୟରେ ରହିବ । ମୁଁ ଆଉ ଆଦିତ୍ୟ ଏକ ସମାନ । ମୋ ପୁଅ ମୋ ଜୀବନର ଏକ ଅଂଶ । ଆଦିତ୍ୟ ତାର ମାକୁ ଛାଡି କୁଆଡେ ଯାଇ ନାହିଁ । ‘ଅନୁରାଧା କହିଛନ୍ତି ଯେ ପ୍ରତିଦିନ ସେ କରୋନା ସହ ଜଡିତ ଖବର ପଢ଼ି ଚିନ୍ତିତ ହୋଇପଡୁଛନ୍ତି । ଲୋକମାନେ ପ୍ରାଣ ହରାଉଛନ୍ତି, ତାଙ୍କୁ କୌଣସି ସୁବିଧା ମିଳି ପାରୁନାହିଁ । ସେ କହିଛନ୍ତି, ଏସବୁ ଦେଖି ମୁଁ ସେମାନଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରୁଛି । ଅନୁରାଧା ପୌଡୱାଲ କରୋନା ରୋଗୀଙ୍କ ପାଇଁ ଡାକ୍ତରଖାନାରେ ଅକ୍ସିଜେନ କନସେନଟ୍ରେଟର ଏବଂ ଭେଣ୍ଟିଲେଟର ଯୋଗାଉଛନ୍ତି । ଅନୁରାଧା ପୌଡୱାଲଙ୍କ ପୁଅ ଆଦିତ୍ୟ ପୌଡୱାଲଙ୍କର ୩୫ ବର୍ଷ ବୟସରେ ଦେହାନ୍ତ ହୋଇଥିଲା । ସେ କିଡନି ଜନିତ ସମସ୍ୟା ସହ ସଂଘର୍ଷ କରୁଥିଲା । ଡାକ୍ତରଖାନାରେ କିଡନ ଫେଲ ହେତୁ ତାଙ୍କର ଦେହାନ୍ତ ହୋଇଥିଲା । ସେ ମଧ୍ୟ ତାଙ୍କ ମା’ଙ୍କ ପରି ଭଜନ ଏବଂ ଭକ୍ତି ଗୀତ ଗାଉଥିଲେ । ଏହା ବ୍ୟତୀତ ସେ ସଙ୍ଗୀତ ରଚନା ମଧ୍ୟ କରୁଥିଲେ । ଦେଶର ସର୍ବକନିଷ୍ଠ ସଂଗୀତ ନିର୍ଦ୍ଦେଶକ ହୋଇଥିବାରୁ ତାଙ୍କ ନାମ ‘ଲିମ୍ମା ବୁକ ଅଫ ରେକର୍ଡସ’ରେ ଅନ୍ତର୍ଭୁକ୍ତ ହୋଇଛି ।






