ପାରାଦ୍ୱୀପ (ବାଘୁଆବାର୍ତ୍ତା): ପ୍ରଶାସନିକ ସ୍ଥାନାନ୍ତର, ଥଇଥାନ ବ୍ୟବସ୍ଥା ଉପରେ ଭରସା ନରଖି ନିଜ ବ୍ୟବସ୍ଥାରେ ବାତ୍ୟା ଆସିବା ର୍ପୂରୁ ଅଠରବାଙ୍କି ପୋଲର ଅନ୍ଧାରୁଆ ଟନେଲ ଭିତରେ ପଶି ଯାଇଥିଲେ ପାରାଦୀପ ଲକପଡା ବସ୍ତିର ପାଖାପାଖି ୨୦୦ରୁ ଉଦ୍ଧ୍ୱର୍ ଲୋକ । ମଙ୍ଗଳବାର ରାତି ତମାମ ସେମାନେ ସେହି ସୁଡଙ୍ଗରେ ଆଶ୍ରୟ ନେଇଥିଲେ । ସବୁଠୁ ଆଶ୍ଚର୍ଯ୍ୟର ବିଷୟ, ବାତ୍ୟା ମୁକାବିଲା ନେଇ ଯୁଦ୍ଧକାଳୀନ ଭିତ୍ତିରେ ପ୍ରଶାସନ ଏବଂ ପୁଲିସ ରାତି ସାରା ପାରାଦୀପରେ ପଇଁତରା ମାରିଥିଲେ ସୁଦ୍ଧା ଏତେ ଲୋକ ଟନେରଲ ଭିତରକୁ ପଶିବା ଖବର କାହା କାନରେ ପଡି ନଥିଲା । ବୁଧବାର ସକାଳୁ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ନିରାପଦ ଆଶ୍ରୟସ୍ଥଳୀରେ ରଖାଯାଇଛି । ଏହି ଖବର ପ୍ରଘଟ ହେବା ପରେ ଆଜି ସକାଳେ ପ୍ରଥମ ଘଟଣାସ୍ଥଳରେ ପହଞ୍ଚିଥିଲେ ଶ୍ରମିକ ନେତା ବାପି ସର୍ଖେଲ । ପଛେ ପଛେ ଗଣମାଧ୍ୟମ ପ୍ରତିନିଧିଙ୍କ ଭିଡ ଲାଗି ଯାଇଥିଲା । ପୁଲିସ ପହଞ୍ଚି ସମସ୍ତଙ୍କୁ ଉକ୍ତ ବିପଦଜନକ ଟନେଲ ଭିତରୁ ଉଦ୍ଧାର କରିଥିଲା । ଉକ୍ତ ପୋଲର ନିର୍ମାଣ ଶୈଳୀ ଏଭଳି ଯେ, ପୋଲ ତଳେ ସୁଡଙ୍ଗ ଭଳି ଖାଲି ସ୍ଥାନ ରହିଛି । କିନ୍ତୁ ଏହି ଟନେଲ ବା ସୁଡଙ୍ଗକୁ ମାତ୍ର ଗୋଟିଏ ଗଳା ବାଟ ରହିଛି । ଏହାଛଡା ତାହା ଭିତରକୁ ପବନ ଯିବା ମୁସ୍କିଲ । ଆଲୋକର ବ୍ୟବସ୍ଥା ମଧ୍ୟ ନାହିଁ ତଥାପି ଲୋକମାନେ ଜୀବନ ବିକଳରେ ଏହି ସୁଡଙ୍ଗ ଭିତରେ ପିଲାଛୁଆ ଧରି ମୁଣ୍ଡ ଗୁଞ୍ଜିଥିଲେ । ଯେହେତୁ ପ୍ରଶାସନକୁ ଏକଥା ଜଣାନଥିଲା, ସେଥିଯୋଗୁଁ ଏହି ବସ୍ତି ବାସିନ୍ଦାଙ୍କୁ ରନ୍ଧା ଖାଦ୍ୟ ସହ ଶୁଖିଲା ଖାଦ୍ୟ ବଣ୍ଟନ ହୋଇପାରି ନଥିଲା । ଅର୍ଥାତ ଏମାନେ ରାତି ସାରା ଉପାସ କିମ୍ବା ନିଜ ବ୍ୟବସ୍ଥାରେ ଘରୁ ଯାହା ଯୋଗାଡ କରି ନେଇଥିବେ ତାହାକୁ ଅଳ୍ପ ବହୁତ କରି ଖାଇଥିବେ । ତେବେ ପାନୀୟ ଜଳର ସୁବିଧା ସେମାନେ କରିଥିବେ କି ନାହିଁ ତାହା ମଧ୍ୟ ସନ୍ଦେହଜନକ ଲାଗୁଛି । ସୁଡଙ୍ଗର ଆଭ୍ୟନ୍ତରୀଣ ପରିବେଶ ଯାହା, ଅଧିକ ବିଳମ୍ବ ହୋଇଥିଲେ ବଡ଼ ଧରଣର ଅଘଟଣ ଘଟିବା ଆଶଙ୍କା ରହୁଥିଲା । ଗୋଟିଏ ପଟେ ଜିଲ୍ଲା ପ୍ରଶାସନ ଏବଂ ପାରାଦୀପ ପୌରପାଳିକା ପକ୍ଷରୁ ବସ୍ତି ବାସିନ୍ଦାମାନଙ୍କୁ ବାତ୍ୟା ହେତୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ଚାଲି ଆସିବାକୁ ସଚେତନ କରାଯାଇଥିବା କୁହାଯାଇଥିଲା । ହେଲେ ଏବେ ଟନେଲ ଭିତରୁ ଲୋକମାନେ ଉଦ୍ଧାର ହେବା ପରେ ପ୍ରଶାସନ ପ୍ରକୃତରେ ଲୋକଙ୍କୁ ବାତ୍ୟା କିମ୍ବା ଅନ୍ୟ ବିକଳ୍ପ ଆଶ୍ରୟସ୍ଥଳୀକୁ ଆଣିବାକୁ ବ୍ୟବସ୍ଥା କରାଇଥିବା ନେଇ ପ୍ରକାଶ ପାଇଛି ।






