ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ମହାମାରୀ କରୋନା ସାରା ଦେଶକୁ ଦେଢ ବର୍ଷ ଧରି କବଳିତ କରି ଆସିଛି । ସେଥିପାଇଁ ସରକାର ଲକଡାଉନ୍ ଓ ସଟଡାଉନ୍ କରି ଚାଲୀଥିବା ବେଳେ ସମସ୍ତ ଦ୍ରବ୍ୟର ଦରଦାମ ବୃଦ୍ଧି ପାଇବାରେ ଲାଗିଛି । ଜନସାଧାରଣଙ୍କ ହାଣ୍ଡିଶାଳରେ ଦରଦାମର ମାଡ଼ ହୋଇଛି । ଯାହାଫଳରେ ଜନସାଧାରଣ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଦେଶରେ କାଇବା ତେଲର ଦାମ ନିୟମିତ ବଢି ଚାଲିଛି । ଚଳିତ ମାସରେ ଖାଇବା ତେଲର ଦାମ ୧୦ବର୍ଷ ମଧ୍ୟରେ ବୃଦ୍ଧି ପାଇ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଖାଦ୍ୟ ଓ ବିତରଣ ବିଭାଗ ଖାଇବା ତେଲର ବର୍ଦ୍ଧିତ ଦରକୁ ନେଇ ସମସ୍ତ ପକ୍ଷଙ୍କ ସହ ଆଲୋଚନା କରିଛନ୍ତି । ବିଗତ କିଛିମାସ ହେଲା ଅନ୍ତରାଷ୍ଟ୍ରୀୟ ବଜାରରେ ଖାଇବା ତେଲକୁ ତୁଳନାରେ ଭାରତୀୟ ବଜାରରେ ଦର ଅଧିକ ବଢିଛି । ଭାରତରେ ଖାଇବା ତେଲର ୬୦ ପ୍ରତିଶତରୁ ଅଧିକ ବିଦେଶକୁ ଆମଦାନୀ ହେଉଛି । ମେ ମାସରେ ଶୋରିଷ ତେଲ ଲିଟର ପିଛା ୧୬୬ ଟଙ୍କା ୪୪ପଇସାକୁ ବୃଦ୍ଧି ପାଇଛି । ଯାହାକି ଗତ ବର୍ଷ ତୁଳନାରେ ୩୯ ପ୍ରତିଶତ ଅଧିକ ବୃଦ୍ଧି ହୋଇଛି । ପାମୁଲିନ୍ ତେଲ ଗତବର୍ଷ ତୁଳନାରେ ୪୯ ପ୍ରତିଶତ ବଢିଛି । ଯଦି ୧୦ବର୍ଷ ତଳର ତେଲ ଦରକୁ ଦେଖିବା ତେବେ ପାମୁଲିନ୍ ତେଲ ଲିଟର ପିଛା ୪୯ ଟଙ୍କା ୧୩ ପଇସାରେ ବିକ୍ରି ହେଉଥିବା ବେଳେ ଶୋରିଷ ତେଲ ୬୩ ଟଙ୍କା ୫ପଇସାରେ ବଜାରରେ ବିକ୍ରି ହେଉଥିଲା । ବର୍ତ୍ତମାନ ତେଲ ଦର ମାତ୍ରାଧିକ ବଢି ବଢି ଚାଲିଛି ଜନସାଧାରଣଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।






