Monday, July 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାପୁନ, ବିଳାସିନୀ ଓ ବର୍ଷା

by ସଞ୍ଜୟ ସ୍ୱାଇଁ
May 26, 2021
in Literature
ବାପୁନ, ବିଳାସିନୀ ଓ ବର୍ଷା
280
VIEWS
Share on FacebookShare on Twitter

ଓଡ଼ିଶା ସାହିତ୍ୟ ଏକାଡେମୀ ଯୁବ ପୁରସ୍କର ପ୍ରାପ୍ତ ଗାଳ୍ପିକ ଶୁଭ୍ରାଶୁଂ ପଣ୍ଡାଙ୍କ ଦ୍ୱାରା ‘ବାପୁନ, ବିଳାସିନୀ ଓ ବର୍ଷା’ ୨୦୦୬ ମସିହା ଏକ ବର୍ଷା କାଳରେ ରଚନା କରାଯାଇଥିଲା ବୋଲି ସେ କୁହନ୍ତି । ପିଲା ଦିନର ସ୍ମୃତିକୁ ନେଇ ରଚନା କରାଯାଇଥିବା ଏହି କାହାଣୀକୁ ପଢ଼ିଲେ, ଭଲା ଲୋକର ପିଲା ଦିନ କଥା ମନେ ପଡ଼ିଯିବା ଥୟ । ପର୍ଯ୍ୟବେକ୍ଷକ ଖବର କାଗଜରେ ସହ ସମ୍ପାଦକ ଭାବେ କାର୍ଯ୍ୟ କରୁଥିବା ସମୟରେ ଶ୍ରୀଯୁକ୍ତ ପଣ୍ଡାଙ୍କ ରଚିତ ଏହି କାହାଣୀ ୨୦୦୭ ମସିହାରେ ‘ଦେଖାଯାଉ’ ବୋଲି ଏକ ପତ୍ରିକାରେ ପ୍ରକାଶ ପାଇଥିଲା । ଏହା ୨୦୦୭-୦୮ ମସିହାରେ ଗପ ପୁସ୍ତକରେ ସ୍ଥାନୀତ ହୋଇଥିଲା । ଏହି ଗପ ପୁସ୍ତକ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପାଇଥିଲେ ଶ୍ରୀଯୁକ୍ତ ପଣ୍ଡା । ତାଙ୍କ ଦ୍ୱାରା ରଚିତ ଗପ ମଧ୍ୟରୁ ଏହା ଏକ ଚର୍ଚ୍ଚିତ ଗପ ବୋଲି କୁହାଯାଏ । ଆଜିର ଏହି ବର୍ଷା କାଳରେ ପାଠକଙ୍କ ପାଇଁ ଉପହାର ଭାବେ ପ୍ରକାଶିତ କରୁଛୁ, ‘ବାପୁନ, ବିଳାସିନୀ ଓ ବର୍ଷା’ ।

ପ୍ରଭୁ ହେ । ଆଜି ଦିନକ ପାଇଁ ବର୍ଷା କରନି । ଅଗଣାରେ ବସି ମନେମନେ ଠାକୁରଙ୍କୁ ନେହୁରା ହେଉଥିଲା ବାପୁନ । ଠିକ ଏତିକି ବେଳେ ତା’ ମୁଣ୍ଡ ଉପରେ ପଡ଼ିଲା ଗୋଟେ ବରକୋଳିଆ ଟୋପା । ସେ ଆକାଶକୁ ଚାହିଁଲା ଏବଂ ଦୁଇ ହାତ ଟେକି ଠାକୁରଙ୍କୁ ଲାଞ୍ଚ ଯାଚିଲା । ତା’ର ମନେ ପଡ଼ିଗଲା ପୂର୍ବ ଯାଚଜ୍ଞା କଥା । ସରସ୍ୱତୀ ପୂଜା ଦିନ ଘରୁ ସିଗାରେଟ ଲୁଚେଇ ନେଇ ସ୍କୁଲରେ ଟାଣୁଥିଲା ଯେ ସାଧୁ ସାର ଦେଖି ଦେଇଥିଲେ । କାଳେ ବାପାଙ୍କୁ କହିଦେବେ ଏଇ ଭୟରେ ସେ ଗଞ୍ଜାଟେ ଯାଚିଥିଲା ଠାକୁରଙ୍କୁ, ଯଦିଓ ଗଞ୍ଜା ଆଉ କୁକୁଡା ମଧ୍ୟରେ ଥିବା ପାର୍ଥକ୍ୟ ସମ୍ବନ୍ଧରେ ସେ ଅବଗତ ନଥିଲା । ପିଲିବାଡ଼ି ଖେଳବେଳେ ବାବୁଲାଠାରୁ ଯାହା ଶୁଣିଥିଲା- ମା’ଲୋ କାଳିକା ଚଣ୍ଡି, ଗଞ୍ଜାଟେ ଦେବି, ପୁଆକୁ ଦେ ସଟେଇ ଦେ ଗାତରେ । ଯାହା ହେଉ ସେତେବେଳେ ଠାକୁରେ ବାପୁନର ଡାକ ଶୁଣିଥିଲେ । ତା’ ପରଦିନ ଠୁଁ ସାଧୁ ସାରଙ୍କ ଦେହ ଖରାପ ହେଲା ଯେ, ସେ କୋଡ଼ିଏ ଦିନ ଛୁଟିରେ ରହିଲେ । ବାବୁଲା କହୁଥିଲା ବୁଢ଼ା ପୂଜାଦିନ ଟିକେ ପଙ୍ଗତ ଯୋର କରିଦେଲା ତ, ଘଳିଆ ଫିଟିଗଲା । ଆଉ ଥରେ, ବାର୍ଷିକ ପରୀକ୍ଷା ଡ୍ରଇଁରେ ଆମ୍ବ କିମ୍ବା ସୁରେଇ ପକେଇବା ସର୍ତ୍ତରେ ଠାକୁରଙ୍କୁ ନଡ଼ିଆ ଯାଚିଥିଲା । ହେଲେ ଯେଉଁ ପ୍ରାକୃତିକ ଦୃଶ୍ୟଟା ତା’ ହାତରେ ଜମା ହୁଏନି ପ୍ରଶ୍ନରେ ସେଇଟା ହିଁ ଆସିଥିଲା । ବିଳାସିନୀ ପାଖରେ ବସିଥିଲା ବୋଲି ସିନା ଚିତ୍ରଟା ଆଙ୍କି ଦେଲା । ଅବଶ୍ୟ ଠିକ ବେଳକୁ ସାଧୁ ସାର ପଶି ଆସିବାରୁ ଖଜୁରି ଗଛଟା କେବଳ ବାକି ରହିଗଲା, ଆଉ ଡ୍ରଇଁରେ ସେ ସେକେଣ୍ଡ ହେଲା ଫାଷ୍ଟ ହେଲା ବାବୁଲା । ବାପୁନ, ମନେ ମନେ ବିରକ୍ତ ହେଲା ବାବୁଲା ଉପରେ । ସବୁ ପାଠରେ ତା’ ଠୁଁ ପଛରେ ପଡ଼ିବ, ହେଲେ ଶଳାର ଡ୍ରଇଁରେ ଭଲ ହୁଏ । ଶଳାଟା ବଡ଼ ବିହଜ । ସବୁବେଳେ ବିଳାସିନୀକୁ ଟେରେଇ ଟେରେଇ ଚାହିଁଥିବ । ଥରେ ପୋଖରୀରେ ଅଣ୍ଡିରା ତୁଠରୁ ପହଁରି ଯାଇ ଡୁବମାରି ବିଳାସିନୀର ଫ୍ରକ ଭିତରେ ବାହାରିଥିଲା । ବିଳାସିନୀ କହୁଥିଲା ବାବୁଲାଟା ଛତରା; ଥାନଅଥାନରେ ହାତ ପୁରେଇ ଦେବ, ଝିଅପିଲା ମୁତୁଥିଲା ବେଳେ ଲୁଚିଲୁଚି ଅନେଇବ । ଗାଁ ଡ୍ରାମା ଦିନ ସନ୍ଧ୍ୟାରେ ସୁମନ୍ତ କକା ଝିଅ ରତନିକି ଆମ୍ବସିରା ଦବ କହି ଭଗବତ ଘର ପିଣ୍ଡାକୁ ଡାକିକି ନେଲା ଯେ ଶଳା ଘଣ୍ଟାଏ ପରେ ଆସିଲା । ବିଳାସିନୀକୁ ବି ଡାକୁଥିଲା । ହେଲେ ବାପୁନ ତାକୁ ଯିବାକୁ ମନା କଲା । ବାବୁଲା ମନ୍ତ୍ରଜଣା, ବଶୀକରଣ ମନ୍ତ୍ର । ଝିଅପିଲା ମୁତୁଥିବା ଥାନରୁ ମାଟି ନେଇ ଏମିତି ମନ୍ତ୍ର ପଢ଼ିବ ଯେ ଝିଅକୁ ରାତି ଅଧରେ ଡାକିଲେ ବି ଚାଳି ଆସିବ, ଯାହା କହିବ ତାହା କରିବ । ବାପୁନ ବିଳାସିନୀକୁ ମାଟିରେ ମୁତିବାକୁ ମନା କରିଥିଲା । ଯଦି ମୁତିବ ଖେଳପଡିଆ କଡ ଇଟାଗଦା ଉପରେ ନତୁବା ସ୍କୁଲ ପଛପାଖ ପୋଖରୀ ପାଣିରେ । ପୋଖରୀ ପାଣିରେ ମୁତିଲେ ସାପ କାମୁଡ଼ିବ ବୋଲି କହିଥିଲା ବିଳାସିନୀ । ସାପ କାମୁଡ଼ାରୁ ରକ୍ଷା ପାଇଁ ତାକୁ ଗୋଟେ ମନ୍ତ୍ର ବତେଇଥିଲା ବାପୁନ । ଯଦି ନିହାତି କେଉଁଠି ମୁତିବାକୁ ପଡ଼େ, ପାଖରେ ଠିଆ ହେଉଥିଲା ଆଉ ବିଳାସିନୀ ମୁତି ସାରିବା କ୍ଷଣି ତହିଁରେ ସଂଗେସଂଗେ ବାଲି ଘୋଡ଼ୋଇ ଦେଉଥିଲା । ଶଳା ବାବୁଲାକୁ ବିଶ୍ୱାସ ନାହିଁ । ଆକାଶରେ ମେଘମାନଙ୍କ ମେଳଣ ଚାଲିଥିଲା । ଭାବନା ରାଜ୍ୟରୁ ଫେରିଲା ବାପୁନ । ପୂର୍ବ ପ୍ରତିଶ୍ରୁତି ମୁତାବକ ଗଞ୍ଜା ଆଉ ନଡିଆ ଦେଇପାରି ନଥିବାରୁ ଠାକୁରଙ୍କୁ କ୍ଷମା ମାଗିଲା । ଗଣିଗଣି ପାଞ୍ଚ ଚାପୁହା ମାରିଲା ନିଜ ଗାଲକୁ ଏବଂ ପୁଣି ନେହୁରା ହେଲା-ମାହାପୁର! ମାମୁଁ ଘରୁ ଆସିଲା ବେଳେ ଆଈ ଯେଉର୍ ରାଶିଲଡୁ ଦେଇଛି, ସେଥିରୁ ତମକୁ ବଡବଡ଼ ପାଞ୍ଚଟା ଦେବି । ପୂର୍ବ ବାକିଆ ଗଞ୍ଜା ଆଉ ନଡିଆ ବି ଦେବି । ତମେ ଆଜି ଆଦୌ ବର୍ଷା କରନି । ଖାଲି ବିଳାସିନୀଟା ମାମୁଁଘରୁ ଫେରି ଆସୁ, ତା’ପରେ ତମେ ଯେତେ ଇଛା ସେତେ ବର୍ଷ କରିବ । ତା’ ବୁଢ଼ିମା କହୁଥିଲା ସେ ଆଜି ଆସିବ, ଯଦି ବର୍ଷା ନହୁଏ । ଆଛା ଠାକୁରେ ତମେ କଣ ଆଇଁଷ ଖାଅ କି? ନା, ଗଞ୍ଜା ବଦଳରେ ତମୁକୁ ଗୋଟେ ଭଲ କାକୁଡି ଦେବି । ଚଳେଇ ଦବ, ଏଁ । ବିଜୟା ଦଶମୀରେ ଜେଜେ ତ ପୁଣି ଜହ୍ନି ବଳି ପକାନ୍ତି । ଆଉ ମୁଁ ତ ଛୋଟ ପିଲା, ଗଞ୍ଜା କୋଉଠୁ ଆଣିବି କହିଲ? ଏତିକି ବେଳୁ କଥା ସାଫ କରି ଦେଉଛି ପରେ ଆଉ ରାଗିବନି, ହାଁ । ମାମୁଁ ଘରୁ ଫେରିବା ବେଳେ ଆଈ କାନ୍ଦୁଥଇଲା, ବୋଉ ବି । ଆଈ କହୁଥିଲା ଆଉ ଚାରିଦିନ ରହି ଯା । ବୋଉ ମନା କଲା । ମାମୁଁ ଘର ଛାଡିବାକୁ ଆଦୌ ଇଛା ନଥିଲା ବାପୁନର । ଗାଁରେ ପହଞ୍ଚୁ ପହଞ୍ଚୁ ବାପା ବୋଉ ନିଷ୍ପତ୍ତି ନେଇ ସାରିଲେଣି ଗାଁ ଛାଡିବେ, ପୁଣି ଆସନ୍ତାକାଳି । ଆଉ ତାକୁ ଜଣଉଛନ୍ତି ଆଜି, ଏ କେମିତିକା କଥା! ୍ଣସ ମନେମନେ ବିରକ୍ତ ହେଲା ବାପାବୋଉଙ୍କ ଉପରେ । ଯଦି ବୋଉ ଆଈ କଥା ମାନଥାଆନ୍ତା ସେମାନେ ଆସନ୍ତାକାଲି ଫେରିଥା’ନ୍ତେ ମାମୁଁଘରୁ, ଆଉ ସେତେବେଳକୁ ବିଳାସିନୀ ବି ଫେରି ଆସିଥା’ନ୍ତା । ଏତିକିବେଳେ ବୋଉ ଡାକିଲା ଖାଇବାକୁ । ଆକାଶ ମେଘ ଢାଙ୍କିଥିବାରୁ ଏତେ ଶୀଘ୍ର ଖାଇବା ହେବ ଭାବି ନଥିଲା ବାପୁନ । ସେ ଠାକୁରଙ୍କୁ ପୁଣି ଥରେ ବର୍ଷା ନକରିବା ଲାଗି ଅନୁରୋଧ ଜଣାଇ ବାରଣ୍ଡାକୁ ଉଠିଲା । ‘ବୋଉ ଆମେ କାଲି ନ ଯାଇ ଦି’ଦିନ ପରେ ଗଲେ ହୁଅନ୍ତା ନି?’ ଖାିବା ବେଳେ ବୋଉକୁ ବାପୁନର ପ୍ରଶ୍ନିଳ ପରାମର୍ଶ । ‘ସେଠି ଭଲ ସ୍କୁଲରେ ତୋ ନାଁ ଲେଖା ହେବ, ପହରଦିନ ସ୍କୁଲ ଖୋଲୁଚି ପରା ।’ ମୁଁ ଗାଁରେ ପଢ଼ିିବି ।’ ‘ବାହାରେ ପଢ଼ିଲେ ବହୁତ କଥା ଜାଣିବୁ । ହାକିମ ହେବୁ । ହାକିମ ହେଲେ ଗାଡି ଚଢ଼ିବୁ, ବହୁତ ଟଙ୍କା ରୋଜଗାର କରିବୁ । ଆମକୁ ବହୁତ ସହର ବୁଲେଇବୁ ।’ ଇସ୍, ହାକିମ ହେଳେ ଆଗ ବିଳାସିନୀକୁ ନେଇ ସେ ସହର ବୁଲେଇବ । ସେମାନେ ଏକାଠି ବହୁତ ଖେଳ ଖେଳିବେ, ବ୍ୟୋମଯାନରେ ବୁଲିବେ । ମନେମେନେ ଉଲ୍ଲସିତ ହେଲା ବାପୁନ । ଖାଇ ସାରି ଶୋଇବା ଘରକୁ ଗଲା । ଆଲମିରା ତଳୁ ଗୋଟେ ଟିଣ ବାକସ ବାହାର କଲା । ତା ଭିତରେ ଥିଲା ଗୋଟେ ଜରି ବ୍ୟାଗ । ବ୍ୟାଗ ଭିତରେ ରଙ୍ଗବେରଙ୍ଗ ଗ୍ରୀଟିଙ୍ଗସ କାର୍ଡ, ସିନେମା ହିରୋ ହିରୋଇନ ଫଟୋ । ବିଳାସିନୀକୁ ଦେବ ବୋଲି ମାମୁଁ ଘରୁ ଲୁଚେଇ ଆଣିଥିଲା । ବାକ୍ସଟାକୁ ଯଥା ସ୍ଥାନରେ ରଖିଦେଇ ବୋଉର ବାରଣ ସତ୍ତେ୍ୱ ଦାଣ୍ଡକୁ ବାହାରିଗଲା ବାପୁନ । ମଣ୍ଡପରେ ଜେଜେ ତାସ ଖେଳୁଥିଲେ । ପାଖରେ ବସି ଖେଳ ଦେଖିଲାସେ । ଜେଜେଙ୍କ ପ୍ରତିପକ୍ଷ ଖେଳାଳି ଗୋଟେ ତାସକୁ ତଳେ ଜୋରରେ ପିଟି କହିଲା, ‘ହଳ କରିବାକୁ ଭଲ ପାଗ ଦେଇଚି ।’ ଜେଜେ ନଇଁପଡି ଆକାଶକୁ ଚାହିଁଲେ ଓ କହିଲେ ପୂର୍ବ ଆଡୁ କଳାହାଣ୍ଡିଆ ମେଘ ଉଠିଲାଣି ଜମାଣିଆ ବର୍ଷାଟେ ହେବ ଆଜି । ବାପୁନର ମନଟା ଖଇଚା ହୋଇଗଲା । ସେ ମଣ୍ଡପରୁ ଓହ୍ଲେଇ ଆସି ଦେବ ଦଦାଘର ପିଣ୍ଢାରେ ବସିଲା ଓ ଆକାଶକୁ ଚାହିଁଲା । ଆଉ ଖଣ୍ଡେ ଦେଖାଗଲା ହାତିପରିକା । ପୁରି ସେଇଟା ଗୋଟେ ଗଛ ପାଲିଟି ଯାଉଥିଲା । ଗଛରୁ ଅସୁର, ଅସୁରରୁ ଟ୍ରେକର ଗାଡ଼ି । ପୂର୍ବ ପଟୁ ଗୋଟେ କଳା ବାଦଲ ଯୋରରେ ମାଡି ଆସୁଥିଲା, ଦେଖା ଯାଉଥିଲା ଠିକ ବିଳାସିନୀ ପରି । ଆଃ, ବିଳାସିନୀ । ଏତିକି ବେଳେ ଗାଁ ମୁଣ୍ଡ ଆଡୁ ବାବାଲାର ପାଟି ଶୁଭିଲା, ବିଳାସିନୀ ଆସୁଛିରେ । ବାପୁନ ତରବରିଆ ଭାବରେ ଠାକୁରଙ୍କୁ କୃତଜ୍ଞତା ଭରା ନମସ୍କାରଟେ କଲା ଏବଂ ଦୌଡିଲା । ଗାଁ ମୁଣ୍ଡରେ ପହଞ୍ଚି ବାବୁଲାକୁ ପଚାରିଲା ବିଳାସିନୀ କାହିଁ? । ବାବୁଲା ଗହୀର ଦଣ୍ଡା ଆଡେ ଆଙ୍ଗୁଠି ଦେଖେଇ କହିଲା, େଇ ଦେଖ । ଦଣ୍ଡାରେ ଗୋଟେ ଶଗଡ଼ ଆସୁଥିଲା । ଓଦର ଉପରେ କେରପାଲ ଲାଗିଥିଲା । ଏଇ ନିଶ୍ଚୟ ବିଳାସନୀ । ଶଗଡଟା ଦୂରରେ ଥିଲା ଏବଂ ଧୀରେଧୀରେ ଆସୁଥିଲା । ବାବୁଲା କହିଲା ଚାଲ ଯିବା । ଦୁହେଁ ଦୌଡିଲେ । ଯୋରରେ ଗୋଟେ ଘଡଘଡି ଶବ୍ଦ ହେଲା । ତଥାପି ସେମାନେ ଦୌଡୁଥିଲେ । ରୀତିମତ ଗୋଟେ ପ୍ରତିଯୋଗିତା ଚାଲିଥିଲା, କିଏ ଆଗେ ପହଞ୍ଚିବ ଶଗଡ ପାଖରେ । ଦୌଡରେ ସବୁବେଳେ ପ୍ରଥମ ହୁଏ ବାବୁଲା । ଏଣୁ ବିଳାସିନୀ ପାଖରେ କାଳେ ସେ ଆଗେ ପହଞ୍ଚିବ ଏଇ ଡରରେ ଅଧିକ ଯୋରରେ ଦୌଡିଲା ବାପୁନ । ପ୍ରଥମ ଥର ପାଇଁ ସେ ଜିତିଲା ଏବଂ ପ୍ରଥମେ ପହଞ୍ଚିଲା ଶଗଡ଼ ପାଖରେ । କିନ୍ତୁ ସବୁ କଳ୍ପନାଜଳ୍ପନା ଫିକା ପଡିଗଲା । ଶଗଡରେ ନା ଥିଲା ବିଳାସିନୀ, ନା ଥିଲା ତା ବୋଉ! ରମେଶ କକା ଘର ନୂଆ ବୋହୂ ପୁଆଣି ସଜ ଆଣି ଆସୁଥିଲା । ତା’ ସାଥିରେ ଥିଲା ଗୋଟେ ଛୋଟ ଝିଅ, ଠିକ ବିଳାସିନୀ ପରିକା । ଦୌଡିଦୌଡି ଦୁହେଁୟ ଧଇଁ ପେଲୁଥିଲେ । ଏଣୁ ଶଗଡ଼ ଦଣ୍ଡାରେ ଓହଳିଲେ । ଶଗଡିଆ ଚିଡିବାରୁ ଚାଲିଚାଲି ଗଲେ । ଏତିକି ବେଳେ ଆଉ ଗୋଟେ ଘଡଘଡି ମାରିଲା । ବାପୁନ ଚମକିଲା ଓ ଠାକୁରଙ୍କ ଉଦ୍ଦେଶ୍ୟରେ ହାତ ଟେକିଲା । ଯାଚିଥିବା ରାଶିଲଡୁ ସଂଖ୍ୟା ପାଞ୍ଚରୁ ଦଶକୁ ବୃଦ୍ଧି କଲା । ସାନ ଝିଅଟି ଶଗଡରୁ ବାହାରକୁ ଚାହିଁଥିଲା । ବାବୁଲା ତାକୁ ଖତେଇ ହେଲା ଓ ହାତରେ ଗୋଟେ ଅଶ୍ଳୀଳ ଇଙ୍ଗିତ ଦେଲା । ବାପୁନକୁ ଲାଜ ଲାଗିଲା । ସେ ବାବୁଲା ହାତକୁ ପିଟି ଦେଲା । ଝିଅଟା ହସିଲା । ବାବୁଲା କହିଲା- ଫସିଲାରେ! ବଢ଼ିଆ ମାଲଟା । ଦେଇଚି ମନ୍ତ୍ର ଫୁଙ୍କି । ଆଜି ସନ୍ଧ୍ୟାରେ ଆସିବୁ, ଦେଖିବୁ କମାଲ । ବାପୁନ ଭାବୁଥିଲା ବିଳାସିନୀ କଥା । ଏ ଝିଅର ହସଠାରୁ ବିଳାସିନୀର ହସ ଆହୁରି ଭଲ । ୟାଠୁଁ ଅଧିକ ସୁନ୍ଦରୀ ସେ । ସବୁଠୁଁ ବୋୀ ସୁନ୍ଦରୀ, ସବୁଠୁଁ ଭଲ ଝିଅ ବିଳାସିନୀ । ଆଉ ସବୁ ଗ’ । ଆକାଶ କ୍ରମଶଃ ଅଧିକରୁ ଅଧିକ କୃଷ୍ଣକାୟ ହେଉଥିଲା । ଟୋପାଟୋପା ପାଣି ପଡିଲା ବାପୁନର ମୁହଁରେ । ବର୍ଷା ନକରିବା ପାଇଁ ପୁଣି ଠାକୁରଙ୍କୁ ନେହୁରା ହେଲା ସେ । ଗାଁ ପାଖାପାଖି ହୋଇ ଯାଇଥିଲେ ସେମାନେ । ବର୍ଷା ହେଲାରେ କହି ଗାଁ ଆଦୌ ଦୌଡିଲା ବାବୁଲା, ତା ପଛେ ପଛେ ବାପୁନ । ବଳଦ ପିଠିରେ ବେତ କଷିଲା ଶଗଡ଼ିଆ । ଘରେ ପହଞ୍ଚିଲା ବେଳକୁ ଓଦା ସରସର ହୋଇ ଯାଇଥିଲା ବାପୁନ । ବୋଉ ରାଗିଲା ଓ ଜାମା ବଦଳେଇ ଦେଲା । ଦାଣ୍ଡ ପିଣ୍ଢାରେ ଜେଜେ ଗୋଟେ ହେଂସ ବୁଣୁଥିଲେ । ମୁଢ଼ି ମୁଆଁଟେ ଧରି ତାଙ୍କ ପାଖରେ ବସିଲା ବାପୁନ । ବର୍ଷା ଜୋରରେ ଆରମ୍ଭ ହୋଇ ଯାଇଥିଲା । ପ୍ରଥମ ଅସରା ଯେମିତି ଟକେ ଛାଡି ଯାଇଛି ବାବୁଲା ଆସି ହାଜର ହେଲା ତା ପାଖରେ ଏବଂ ଡଙ୍କା ତିଆରିବା ପାଇଁ କାଗଜ ମାଗିଲା । ଆଉ କେଉଁଦିନ ହୋଇଥିଲେ ସେ ଛବି ବହିରୁ କାଗଜ ଚିରି ଦେଇଥା’ନ୍ତା ଓ ଦୁହେଁ ଡଙ୍ଗା ଭସାଇଥା’ନ୍ତେ । ଆଜି କିନ୍ତୁ ମନା କରି ଦେଲା । ଜେଜେ ଚିଡିଲେ ବାବୁଲା ଉପରେ । ବାବୁଲା ରାଗିଲା ଓ ଗୋଟେ ଅଶ୍ରାବ୍ୟ ଶବ୍ଦ କହି ଦୌଡିଲା । ବାପୁନ ମନଦୁଃଖରେ ବସି ବିଳାସିନୀ କଥା ଭାବୁଥିଲା – ବଳାସିନୀ ମାମୁଘର ଗାଁରେ କ’ଣ ଏମିତି ବର୍ଷା ହେଉଥିବ? ଇିଳାସିନୀ ଯଦି ବାହାରି ଆସିଥିବ ଆଉ ଅଧାବାଟରେ ବର୍ଷା ହୋଇଥିବ, ତେବେ? ଆହା, ମୋ ବିଳାସିନୀ! ସନ୍ଧ୍ୟା ହେଲା, ହେଲେ ବର୍ଷା ଛାଡିଲାନି । କରେଣ୍ଟ ନଥିଲା, ଲଣ୍ଠନ ନେଇ ଶୋଇବା ଘରକୁ ଗଲା ବାପୁନ । ଟିଣ ବାକ୍ସରୁ ବାଛିବାଛି ଗୋଟେ ଭଲ ଗ୍ରୀଟିଙ୍ଗସ କାର୍ଡ ବାହାର କଲା ଏବଂ ସେଥିରେ ଲେଖିଲା-
you ସିନା ଭୁଲିଯାଏ I କେବେ ଭୁଲେନା
ଦୂରେ ଥାଇ Friend ତମେ ଆଉ ଦୁଃଖ ଦିନା ।
From: Baପୁନ
To: BଳାCନୀ
କାର୍ଡରେ ଏଇମିତି ଲେଖିବା ସେ ଶିଖିଥିଲା ତା’ ମାମୁଁ ଘରୁ । ତା’ ମାଉସୀ ପାଖକୁ ଆସିଥିବା କାର୍ଡରେ ଏମିତି କେତେ ଗୀତ ସବୁ ଲେଖା ହୋଇଥିଲା । କାର୍ଡଟାକୁ ଗୋଟେ କାଗଜରେ ପୁରେଇ ବାପୁନ ଚାଲିଲା ବିଳାସିନୀ ଘରକୁ । ଯେହେତୁ ବାହାରେ ବର୍ଷା େଉଥିଲା ସେ ପିଣ୍ଢାରେ ଗଲା । ଦାଣ୍ଡ ଘରେ ଓହଳୁଥିଲା ବିଳାସିନୀର ସ୍କୁଲ ବ୍ୟାଗ । ବାପୁନ ବାଁରେଇ ହୋଇ ଘର ଭିତରକୁ ଗଲା ଆଉ କେହି ନ ଦେଖିଲା ପରି କାର୍ଡଟାକୁ ଗଳେଇ ଦେଲା ବିଳାସିନୀର ବ୍ୟାଗ ଭିତରେ । ବିଳାସିନୀର ଜେଜେ ମୁଢ଼ି ଚୋବାଉଥିଲେ ଦାଣ୍ଡ ପାହାଚରେ ବସି ଓ ଭଙ୍ଗି କଲେ – କିରେ ମଦନା ନାତି, ସହରକୁ ଗଲେ ମତେ ଶଳା ଭୁଳି ଯିବୁନି ତ! ବାପୁନ କିଛି କହିଲାନି । କେବଳ ହସିଦେଲା ଏବଂ ଘରକୁ ଫେରିଲା । ଘରେ ବୋଉ ବ୍ୟସ୍ତ ହେଉଥାଏ । ବାପା ସକାଳୁ ସହରକୁ ଯାଇଛନ୍ତି ଯେ ଏଯାଏଁ ଫେରି ନାହାନ୍ତି । ଏଣେ ବର୍ଷାର ପ୍ରକୋପ ବେଳକୁ ବେଳ ବଢ଼ିବାରେ ଲାଗିଛି । ଠିକ ଖାଇଲା ବେଳକୁ ଦାଣ୍ଡଘରେ ସାଇକେଲ ଖଡଖଡ ଶୁଭିଲା । ବର୍ଷାରେ ଭିଜିଭିଜି ପହଞ୍ଚିଲେ ବାପା । ବାପୁନକୁ ଗୋଟେ ଚକୋଲେଯ ଦେଲେ । ସେଇଟାକୁ ସେ କାନ୍ଥ କୋଥିରେ ରଖି ଦେଲା । ତା’ର କିଛି ଖାଇବାକୁ ଇଛା ନଥିଲା । ବୋଉ ଯେତେ ବୁଝେଇଲେ ବି ଭାତ ଖାଇଲାନି । ବାପା ଖାଇବା ପାଇଁ ତାଗିଦ କରିବାରୁ କାନ୍ଦିଲା । ଜେଜେ କହିଲେ – ଗାଁ ଛାଡିଯିବ ବୋଲି ତା ମନ ଭଲ ନାହିଁ । ତାକୁ ବାଧ୍ୟ କରନା । ବାପୁନ ମୁହଁ ମାଡି ଶୋଇବାକୁ ଚେଷ୍ଟା କଲା । ବାହାରେ ବର୍ଷା ଲାଗି ରହିଥା, । ବାପା ବୋଉ ଆସିଲେ ଓ ଲଣ୍ଠନ ଲିଭେଇ ଦେଲା । ତାକୁ ନିଦ ନାହିଁ । ବି ନିଦ ନାହିଁ ବାପାବୋଉଙ୍କୁ । ନୂଆ ସହରକୁ ନେଇ ନୂଆନୂଆ ସ୍ୱପ୍ନ ଦେଖୁଥିଲେ ସେମାନେ । ବାପୁନ ଭାବୁଥିଲା ବିଳାସିନୀ କଥା । ବୋଉକୁ ବାପା କହୁଥିଲେ- ଆଜି ସବୁ ଠିକଠାକ କରି ଦେଇ ଆସଛି । କାଲି ଗଲେ କିଛି ଅସୁବିଧା ହେବନି । ଘର ମାଲିକ ଅତି ବଢ଼ିଆ ଲୋକ । ଆମକୁ କାଲି ତାଙ୍କ ଘରେ ଖାଇବା ପାଇଁ କହିଛନ୍ତି । ‘ବର୍ଷା ଯଦି ଏମିତି ଲାଗି ରହେ, ଆମେ ତ କାଲି ଯାଇ ପାରିବାନି ।’ କହିଲା ବୋଉ । ବାପା କହିଲେ, ‘ଏ ବର୍ଷା ସକାଳକୁ ନଥିବ’ ଏବଂ ଗେଲ ଗଲେ ବୋଉକୁ । ବୋଉ ହସିଲା ଓ ତା କାଚ ଝଣଝଣ ହେଲା । ଲାଜ ଲାଗିଲା ବାପୁନକୁ । ସେ ବିଳାସିନୀକୁ ମନେ ପକେଇଲା । ବିଳାସିନୀ ସାଙ୍ଗରେ ସବୁଠୁ ବେଶି ମିଶେ ସେ । ସ୍କୁଲରୁ ସେମାନେ ଏକାଠି ଫେରନ୍ତି, ଏକାଠି ଖେଳନ୍ତି । ବିଳାସିନୀ ନଥିବା ବେଳେ ବାବୁଲା ସାଙ୍ଗରେ ସେ ପିଲିବାଡି ଖେଳେ, ଗାଁ ମୁଣ୍ଡରେ । ବିଳାସିନୀକୁ ନେଇ ଅନେକ ଥର ବାବ୧ୁଲା ସାଙ୍ଗରେ ଝଗଡା ହୋଇଛି ତା’ର । ବାବୁଲା ଯଦିଓ ସାଙ୍ଗରେ ପଢ଼େ, ବୟସରେ ତିନି ବର୍ଷ ବଡ଼ । ଶଳା ସିବୁ ବିଦ୍ୟାରେ ଓସ୍ତାଦ । ଗୋଟେ ବହି ରଖିଛି । ସେ ବହିରେ କାଉଁରୀ ବିଦ୍ୟା ଅଛି । ମଣିଷକୁ ମୂହୁର୍ତ୍ତକେ ବିରାଡି ବନେଇବା, ପାଞ୍ଚ ମିନିଟରେ ମଞ୍ଜିରୁ ଗଛ, ଗଛରେ ଫଳ ଫଳେଇବା ଇତ୍ୟାଦି ଇତ୍ୟାଦି ବହୁ ବିଦ୍ୟା ତାକୁ ଜଣା । ବଶୀକରଣ ବିଦ୍ୟା ଠାରୁ ଯାଦୁ ବିଦ୍ୟା ଯାଏଁ ସବୁ ପାଠ ଆୟତ କରିଛି ସେ । ତାକୁ ସବୁପିଳା ଡରନ୍ତି । ସେ କିନ୍ତୁ ବାପୁନକୁ ମାନେ । କାରଣ ବାପୁନ ଖାତାରୁ ସବୁବେଳେ ସ୍କୁଲ ପାଠ ଟିପେ । ବାପୁନ ତାକୁ କହିଚି ।, ‘ତୁ ଯାହା କରୁଛୁ କର, ବିଳାସିନୀ ସାଥିରେ ଲାଗିବୁନି କିମ୍ବା ତା ବିଷୟରେ କିଛି ଖରାପ କଥା କହିବୁନି ।’ ବାପୁନକୁ ବାବୁଲା କହେ ତୁ ବିଳାସିନୀକୁ ଲଭ କର । ମୁଁ ତୋତେ ମନ୍ତ୍ର ବତେଇଦେବି । ଅମାବାସ୍ୟା ରାତିରେ ତା ପିନ୍ଧା ଜାମାରୁ ସୁତାଟେ ଆଣିଲେ ହେଲା । ଆଉ ନାରୁ କକା ଯେମିତି ମିତାନାନି ପାଖକୁ ଚିଠି ଦଉଚି, ତୁ ସେମିତି ଦବୁ ବିଳାସିନୀକୁ । ବାପୁନକୁ ଲାଜ ଲାଗ । ସେ କହେ – ଛିଃ ଛତରା । ବାପୁନ ଆଉ ବିଳାସିନୀ ପୋଖରୀ ହୁଡାରେ କଙ୍କି ପଛରେ ଗୋଡାନ୍ତି । ଠିକ ଧରିବାକୁ ଗଲାବେଳେ ବାବୁଲା ରାହା ଛାଡେ, ‘ପକ୍ଷୀ ଧରଣ, ମା ମରଣ’ ବିଳାସିନୀ ତାକୁ ମୁହଁମୋଡେ ଓ କହେ, ‘ପକ୍ଷୀଲୋ ପକ୍ଷୀ, ଯିଏ କହିଛି ତା ମା’ଟି ଆଗ ମରୁ ।’ ବାପା କାଶିଲେ । ବାପୁନ କଡ ଲେଉଟେଇଲା ଏବଂ ନଡା ଘରେ ଖେଳ କଥା ମନେପକେଇଲା । କେମିତି ସେମାନେ କୟାଁଗଛ ମୂଳେ ନାଟକ କରୁଥିଳେ, କେମିତି ବିଳାସିନୀ ସାହେବାଣୀ ହୁଏ ଆଉ ଇଏ ପିଅନ, ବିଳାସିନୀ ମାଷ୍ଟ୍ରାଣୀ ଆଉ ଇଏ ଛାତ୍ର ଏବଂ କେମିତି ଇଏ ପୁଅ ହୋଇ ବିଳାସିନୀ ଠାରୁ କ୍ଷୀର ଝୁଣେ । ଆଉ ଯେଉଁଦିନ ବିଳାସିନୀ ସ୍ତ୍ରୀ ଓ ବାପୁନ ସ୍ୱାମୀ ହୁଏ ସେଦିନ ଖେଳ ଖୁବ ଜମେ । ନଡା ଘର ଭିତରେ ସେମାନେ ଖେଳୁଥାନ୍ତି । ବିଳାସିନୀ କହେ ମୋ ଉପରେ ଶୋ’ । ବିଳାସିନୀ ଥରେ ବାପୁନ ଗାଲକୁ ଚୁମା ଦେଲା ଆଉ ଏମିତି ଗୋଟେ ଜାଗାରେ ହାତ ମାରିଦେଲା ଯେ ତା ଦେହ ଶିରଶିରେଇ ଗଲା । ନଡାଘର ଭିତରେ ସେ ଦିନ ଜୋରରେ କୁଣ୍ଡେଇ ଧରିଲା ବିଳାସିନୀକୁ ସେ ଆଉ ତା ଜାମା ଭିତରେ ହାତ ପୁରେଇଲା । ବିଳାସିନୀ ଦେହଟା ଭାଆରି ମାଉଁସିଆ । ଇସ, ତା ପିଠି କି ପାଲିସ! ଆଉ ତା ପରିଦିନଠୁଁ ତ ବିଳାସିନୀ ମାମୁ ଘରକୁ ଯାଇଛି ଯେ ଯାଇଛି । ‘ବିଳାସିନୀ ଆଉ ରାଗିଲା କି? ନା ନା, ରାଗି ନଥିବ । ସିଏ ତ ଆଗ ମୋ ଠି ଲାଗିଲା । ମୋର ଆଉ କଣ ଦୋଷ ଯେ!’ ମନେମନେ ନିଜକୁ ବୋଧ ଦେଲା ବାପୁନ । ବିଳାସିନୀର ସ୍ମୃତି ସବୁ ପୁଣି ମନେ ପକାଇବାକୁ ଚେଷ୍ଟା କଲା । ଆମ୍ବ ପଦାରେ କେମିତି ସେମାନେ ଭୋଜି କରୁଥିଲେ । କେମିତି ଥରେ ଅସରପା ଦେଖି ହାଉଳି ଖାଇଥିଲା ବିଳାସିନୀ ଆଉ ତାକୁ ତିନି ଦିନ ଯାଏ ଜ୍ୱର ହେଲା । କେମିତି ଦିନେ ବାବୁଲା ବିଳାସିନୀର ଅଥାନରେ ହାତ ମାରି ଦେଇଥିଲା ଯେ ତା ବୁଢ଼ି ମା’ ସାରା ଦିନ ସମ୍ପିଥିଲା ବାବୁଲାକୁ । ଗତଥର ଖରାଛୁଟିରେ ବିଳାସିନୀ ବହୁତ ଖେଳ ଶିଖିକି ଆସିଥିଲା ତା ମାମୁଘରୁ । ହେଲେ ଏଥର ବିଳାସିନୀ ଫେରିଲା ବେଳେକୁ ସେ ନଥିବ । ଛ୍ୟା । ମନେ ମନେ ବିରକ୍ତ ହେଲା ବାପୁନ । ଖୁଜୁବୁଜୁ ଶବ୍ଦ ଶୁଣି ବାପା ପାଟିକଲେ – କିରେ ଏଯାଏଁ ଶୋଇନୁ କି? ସେ କିଛି କହିଲାନି । ‘ଶୋଇପଡ, ପାହାନ୍ତକୁ ଶୀଘ୍ର ଉଠିଲେ ସହର ଯିବା ।’ ତଥାପି ବର୍ଷା ଛାଡି ନଥିଲା ବାହାରେ । ପାହାନ୍ତା ପହରାଟାରେ ବିଛଣା ଛାଡିବାକୁ ଆଦୌ ଇଛା ନଥିଲା ବାପୁନର । ତାକୁ ଜବରଦସ୍ତ ଉଠେଇ ଦିଆଗଲା । ସେ ଅଗଣାରେ ମୁତିଲା ଓ ମୁହଁ ଧୋଇଲା । ଜାମା ପିନ୍ଧି ଦାଣ୍ଡକୁ ଆସିବା ବେଳକୁ ଶଗଡରେ ସବୁ ଜିନିଷ ଲଦା ହୋଇ ସାରିଥିଲା । ଗାଁ ମାଇପିଙ୍କ ମେଳରେ ବୋଉ କାନ୍ଦୁଥିଲା । ବର୍ଷା ସଂପୂର୍ଣ୍ଣ ଛାଡି ଯାଇଥିଲା । ଆକାଶକୁ ଚାହିଁଲା ବାପୁନ । ଗୋଟିଏ ବି ବାଦଲ ନଥିଲା । କ୍ରମଶଃ ଫର୍ଚ୍ଚା ହୋଇ ଆସୁଥିଲାପୂର୍ବ।।ଶ । ଦୁଇଚାରୋଟି ତାରା ତଥାପି ହସୁଥିଲେ । ଆକାଶର ଛାତିରେ । ବାପୁନକୁ ଟେକିନେଇ ଶଗଡ଼ରେ ବସାଇ ଦେଲେ ବାପା । ବୋଉ ବି ବସିଲା । କୋଉଠି ଥିଲା ବାବୁଲା, ଆଖି ମଳିମଳି ଆସି ପହଞ୍ଚିଲା । ଅଣ୍ଟାରେ ହାତ ଦେଇ ଠିଆ ହେଲା ଓ ବାପୁନକୁ ଚାହିଁ ହସିଲା । ସେଇ ଇଷତ ଆଲୁଅରେ ବି ତା କଷଲଗା ଦାନ୍ତ ଚକଚକ କରୁଥିଲା । ବାପୁନକୁ କାନ୍ଦକାନ୍ଦ ଲାଗିଲା । ବିଳାସିନୀର ବୁଢ଼ିମା’ ଗୋଟେ ଜରି ପୁଡିଆ ତାକୁ ଆଣି ଦେଲା ଓ କହିଲା- ନେ, ବାଟରେ ଖାଇବୁ । ହୁରୁଷି କକାକୁ ଜେଜେ ବଳଦ ଯୋଚିବାକୁ କହିଲେ । ବାପୁନ ଶେଷ ଥର ପାଇଁ ଠାକୁରଙ୍କୁ ନେହୁରା ହେଲା – ପ୍ରଭୁ ହେ! ଏଇନା ଯୋରରେ ବର୍ଷା କରାଅ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!