ନୀଳଗିରି, (ବାଘୁଆବାର୍ତ୍ତା): ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ‘ୟଶ’ର ପ୍ରଭାବ । ବ୍ୟାପକ କ୍ଷୟକ୍ଷତି ହେବା ଆରମ୍ଭ ହୋଇଛି । ପ୍ରବଳ ପବନ ବହିବା ଯୋଗୁଁ ଚାରିଆଡେ ରାସ୍ତା ଓ ଘର ଉପରେ ଗଛ ପଡିଛି । ସଜନାଗଡ଼-ଅଯୋଧ୍ୟା ରାସ୍ତାର ବଣଭୂଇଁ ଛକ ନିକଟରେ ଦୁଇଟି ବଡ଼ ବଡ଼ ଗଛ ପଡି ରାସ୍ତା ଅବରୋଧ ହୋଇଥିବା ଜଣାପଡିଛି । ସେହିପରି କଳାକାଦ ଗ୍ରାମର ମନମୋହନ ସାହୁଙ୍କ ଘର ଉପରେ ଗଛ ପଡି ଘର ଭାଙ୍ଗିବା ସହ ବ୍ୟାପକ ଆସବାବ ପତ୍ର ନଷ୍ଟ ହୋଇଥିବା ବେଳେ ପରିବାର ଲୋକେ ବଡ଼ ବିପଦରୁ ବର୍ତ୍ତି ଯାଇଛନ୍ତି । ସଜନାଗଡ଼ ଅଂଚଳରେ ବିଶ୍ୱାଳସାହି ଗ୍ରାମର ରବୀନ୍ଦ୍ର ରାଉତଙ୍କ ଘର ପବନ ଯୋଗୁଁ ଛପର ଉଡାଇ ନେଇଥିବା ଜଣାପଡିଛି । ଗୋପୀନାଥପୁର ଗାଁରେ କଟିନ ମହାରଣାଙ୍କ ଘର ଛପର ଉପରେ ଗଛ ପଡିଥିବା ବେଳେ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଗୁହାଳ ଘର ଭିତରେ ଗୋରୁ ଗାଈ ରହିଥିବା ଜଣାପଡିଛି । ତେବେ ‘ୟଶ’ ପ୍ରଭାବରେ ନୀଳଗିରି ଅଞ୍ଚଳରେ ବହୁ କ୍ଷୟକ୍ଷତି ହେବାର ଆଶଙ୍କା ଘାରିଥିବା ବେଳେ ବାତ୍ୟା ଛାଡିଲେ ପ୍ରଶାସନ ତରଫରୁ ଗଛ ହଟାଇବା ସହ କ୍ଷୟକ୍ଷତିର ଆକଳନ କରାଯିବ ବୋଲି ଜଣାପଡିଛି ।






