ଖୋର୍ଦ୍ଧା (ବାଘୁଆବାର୍ତ୍ତା): ମାଡି ଆସୁଛି ବାତ୍ୟା ‘ୟସ’ । ବାତ୍ୟା ‘ୟସ’ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଅତି ଭୀଷଣ ସାମୁଦ୍ରିକ ଝଡର ରୂପ ନେବ । ତେବେ ବାତ୍ୟା ‘ୟସ’ ତାର ପ୍ରଭାବ ଦେଖାଇବା ଆରମ୍ଭ କରିସାରିଲାଣି । ଉପକୂଳ ଜିଲ୍ଲା ଗୁଡିକରେ ବର୍ଷା ଲାଗି ରହିଛି । ଅଶାନ୍ତ ହେବାକୁ ଲାଗିଲାଣି ସମୁଦ୍ର । ବାତ୍ୟା ‘ୟସ’ ପ୍ରଭାବରେ ଚିଲିକା ହ୍ରଦ ଅଶାନ୍ତ ହେଉଛି । ବାଲୁଗାଁ ନିକଟସ୍ଥ ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମା’କାଳିଜାଇଙ୍କ ମନ୍ଦିର ପାହାଚ ଉପରକୁ ଉଠିଆସିଲାଣି ଚିଲିକା ପାଣି । ଚିଲିକାରେ ପବନର ବେଗ ବଢ଼ୁଥିବା ବେଳେ ଝିପିଝିପି ବର୍ଷା ଆରମ୍ଭ ହୋଇଥିବା ଦେଖିବାକୁ ମିଳିଲାଣି । ବାତ୍ୟା ‘ୟସ’ ପ୍ରଭାବରେ ପାରଦ୍ୱୀପରେ ସର୍ବାଧିକ ବର୍ଷା ହୋଇଛି । ସକାଳ ସୁଦ୍ଦା ପାରାଦ୍ୱୀପରେ ୧୫୧.୫ ମି.ମି. ବର୍ଷା ରେକର୍ଡ କରାଯାଇଛି । ଚାନ୍ଦବାଲିରେ ୯୭ ଓ ପୁରୀରେ ୪୦ ମ.ମି. ବର୍ଷ ରେକର୍ଡ ହୋଇଛି । ବାତ୍ୟା ‘ୟସ’ ପାରାଦ୍ୱୀପଠାରୁ ୨୮୦, ବାଲେଶ୍ୱରଠାରୁ ୩୮୦, ଦୀଘାଠାରୁ ୩୭୦ କି.ମି. ଦକ୍ଷିଣପୂର୍ବରେ ରହିଛି । ଘଣ୍ଟାପ୍ରତି ୧୭ କି.ମି. ବେଗରେ ଆଗଉଛି ‘ୟସ’ ।






