ବଢ଼ୁଛି ଅପରାଧିକ କାର୍ଯ୍ୟକଳାପ

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ ଦିନକୁ ଦିନ ଅପରାଧିକ କାର୍ଯ୍ୟ କଳାପ ବୃଦ୍ଧି ପାଉଛି । ସହର ଓ ଆଖପାଖ ଅଞ୍ଚଳରେ ବ୍ରାଉନସୁଗାର, କୋରେସ୍କ ଏବଂ ଅନ୍ୟନ ନିଶା ଦ୍ରବ୍ୟ ସେବନକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ନିଶା ପାଇଁ ଅନେକ ସ୍ଥାନରେ ଚୋରୀ, ଡକାୟତି ଏବଂ ରାହାଜାନୀ ଭଳି ଘଟଣା ଘଟୁଛି । ଗତକାଲି ନୟାଗଡ଼ ସହର କଲେଜ ରାସ୍ତା ପରିବା ମାର୍କେଟରୁ ୬ ଜଣଙ୍କ ମୋବାଇଲ ଚୋରୀ ହେବା ଘଟଣାକୁ ଉଦାହରଣ ବୋଲି ନିଆଯାଇପାରେ । ଗୋଟିଏ ବଜାରରୁ କିଛି ସମୟ ମଧ୍ୟରେ ୬ ଜଣଙ୍କ ମୋବାଇଲ ଗାଏବ ହୋଇଥିବା କିଛି ଛୋଟିଆ ଘଟଣା ନୁହେଁ । ୬ ଜଣ ମଧ୍ୟ ନୟାଗଡ଼ ଟାଉନଥାନାରେ ଅଭିଯୋଗ କରିଛନ୍ତି । ସେହିଭଳି ଭାବେ ନିଶା ପାଇଁ ପ୍ରତ୍ୟେକ ସମୟରେ ଘଟଣା ଦୁର୍ଘଟଣା ଘଟୁଥିଲେ ମଧ୍ୟ ପୁଲିସ ଘଟଣାସ୍ଥଳରେ ପହଞ୍ଚିବାକୁ ଘଣ୍ଟାଏ ଦୁଇ ଘଣ୍ଟାରୁ କମ ଲାଗୁନି । ଚିରାଚରତି ଭାବେ ଥାନା ଗୋଟିଏ ଦୁଇଟି ଗାଡ଼ି ଉପରେ ନିର୍ଭର କରୁଥିବାରୁ ସମସ୍ୟା ସୃଷ୍ଟି ହୋଇଛି । ଗାଡ଼ି ନେଇ କର୍ମଚାରୀମାନେ କୈାଣସି ସ୍ଥାନକୁ ଯାଇଥିଲେ କଥା ସରିଲା । ଅଭିଯୋଗ ପାଇଥିଲେ ମଧ୍ୟ ପୁଲିସ ଘଟଣାସ୍ଥଳକୁ ଯିବାକୁ ସମୟ ଲାଗିବା ନିଶ୍ଚିତ ହେଉଛି ।

ନୟାଗଡ଼ ଟାଉନଥାନା, ସଦରଥାନା ଏବଂ ଇଟାମାଟି ଥାନାକୁ ଲକ୍ଷ କଲେ ଏହି ସମସ୍ୟା ନିହାତି ରହିଛି ବୋଲି କୁହାଯାଇପାରେ । ନୟାଗଡ଼ ସଦରଥାନା ଅଞ୍ଚଳରେ ୭୦ରୁ ଉଦ୍ଧ୍ୱର୍ ଗ୍ରାମ ରହିଥିବା ବେଳେ ଆଇନଶୃଙ୍ଖଳା ବ୍ୟବସ୍ଥା ଏବଂ ପ୍ରେଟୋଲିଂ ଅବସ୍ଥା ନକହିବା ବହୁତ ଭଲ । ସେଠାରେ ପୁଲିସ କର୍ମଚାରୀଙ୍କ ପାଇଁ ମାତ୍ର ଗୋଟିଏ ଗାଡ଼ି ରହିଥିବା ସୁତ୍ରରୁ ଜଣାଯାଇଛି । ଗୋଟିଏ ଗାଡ଼ିରେ କିଭଳି ପ୍ରେଟୋଲିଂ କରାଯାଉଥିବ ଏବଂ କେଉଁଭଳି ଭାବେ ଅପରାଧିକ ମାମଲାକୁ ନିୟନ୍ତ୍ରଣ, ନିଶା କାରବାର ଉପରେ ରୋକ ଲଗାଯିବ ତାହା ଭଗବାନ ଜାଣନ୍ତି । ମାଛିପଡ଼ା ଅଞ୍ଚଳ ଏବଂ ବାଲୁଗାଁ- ମାଳିସାହି ଅଞ୍ଚଳରେ ଏକ କାଳୀନ ଦୁଇଟି ଅଘଟଣ ଘଟିଲେ ସଦରଥାନା ପୁଲିସ କିଭଳି ସେଠାରେ ପହଞ୍ଚିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୂର୍ବରୁ ମଧ୍ୟ ଏଭଳି ସମସ୍ୟା ଅନେକ ଥର ଦେଖିବାକୁ ମିଳିଛି । ସେହିଭଳି ଭାବେ ନୟାଗଡ଼ ସହରଥାନା ତଥା ଟାଉନଥାନା ପାଇଁ ଦୁଇଟି ଚାରି ଚକିଆ ଯାନ ରହିଥିବା ଜଣାଯାଇଛି । ଟାଉନଥାନା ଅଧିନରେ ନୟାଗଡ଼ ପୈାରାଞ୍ଚଳ ବ୍ୟତିତ କିଛି ଗ୍ରାମାଞ୍ଚଳ ମଧ୍ୟ ଯାଉଛି । ସବୁ ଅଞ୍ଚଳକୁ ପୁଲିସ ପ୍ରେଟୋଲିଂ ବ୍ୟବସ୍ଥା ତଥା ଅପରାଧିକ କାର୍ଯ୍ୟକଳାପକୁ ମାତ ଦେବା ପାଇଁ ଦୁଇଟି ଗାଡ଼ି ଯଥେଷ୍ଟ ନୁହେଁ ବୋଲି ଜଣାଯାଇଛି । ସେହିଭଳି ଭାବେ ଇଟାମାଟି ଥାନା ଅଧିନରେ ୧୧୩ ଗାଁ ପାଇଁ ରହିଛି ଦୁଇଟି ପୁଲିସ ଭ୍ୟାନ । ନୋତର ପଞ୍ଚାୟତଠାରୁ ଆରମ୍ଭ ବିରୁଡ଼ା ଏବଂ ଶରଧାପୁର ପଞ୍ଚାୟତଠାରୁ ଜହ୍ନିପଦା ପଞ୍ଚାୟତ ପର୍ଯ୍ୟନ୍ତ ବ୍ୟାପକ ଅଞ୍ଚଳର ଆଇନଶୃଙ୍ଖଳା ବ୍ୟବସ୍ଥା, ଗ୍ରାମାଞ୍ଚଳ ଗଣ୍ଡଗୋଳ, ନିଶା କାରବାର ପ୍ରଭୃତି ରୋକ ଲଗାଇବା ପାଇଁ ସମସ୍ୟା ସୃଷ୍ଟି ହେଉଛି । କେବଳ ଏହି ୩ଟି ଥାନା ନୁହେଁ, ଜିଲ୍ଲାର ବହୁ ଥାନାରେ ସମାନ ସମସ୍ୟା ଦେଖିବାକୁ ମିଳିଛି । ବିରାଟ ଭୁଖଣ୍ଡକୁ ନେଇ ଥାନା ଗଠନ ହେଉଥିବା ବେଳେ ସେହି ଅଞ୍ଚଳରେ ପ୍ରକୃତ ସୁରକ୍ଷା ଯୋଗାଇବା ପାଇଁ ପୁଲିସ ପାଖରେ ଆବଶ୍ୟଖ ବ୍ୟବସ୍ଥା ନାହିଁ । ଜିଲ୍ଲା ପୁଲିସ ବିଭାଗରେ କିଛି ବାଇକ ରହିଥିଲେ ମଧ୍ୟ ତାକୁ ଉପଯୋଗ କରାଯାଉ ନାହିଁ । ଅନାବଶ୍ୟକ ଭାବେ କିଛି ବାଇକକୁ କିଛି କର୍ମଚାରୀ ବ୍ୟକ୍ତି ଗତ କାମରେ ବ୍ୟବହାର କରୁଛନ୍ତି । କିଛି ବାଇକ ପୁରୁଣା ଗାଡ଼ି ସହ ଏସପିଙ୍କ କାର୍ଯ୍ୟାଳୟ ସାମନା ପଡ଼ିଆରେ ଖତ ଖାଉଛି । ଜୀବନ ବ୍ୟାପି ସେବା ଯୋଗାଇ ଆସିଥିବା ଗାଡ଼ି ଗୁଡ଼ିକ ଏବେ ସହୀଦ ପ୍ରାୟ ପଡ଼ି ରହିଛି । ସେଗୁଡ଼ିକ ମଧ୍ୟରୁ କିଛି ଗାଡ଼ିକୁ ମରାମତି ମଧ୍ୟ କରାଯାଇ ପାରନ୍ତା । ବର୍ତ୍ତମାନ ସ୍ଥିତିରେ ଜିଲ୍ଲାରେ ବାଇକ ପିସିଆର ବ୍ୟବସ୍ଥାର ଆବଶ୍ୟକତା ରହିଛି । ପୁଲିସ ବିଭାଗରେ ରହିଥିବା ବାଇକ ସହ ଅନ୍ୟ କିଛି ବାଇକକୁ ପିସିଆର୍ ଭାବେ ବ୍ୟବହାର କରାଯିବା ନେଇ ବ୍ୟବସ୍ଥା କରିବାକୁ ସାଧାରଣରେ ମତ ପ୍ରକାଶ ପାଇଛି ।






