ନୟାଗଡ଼,(ବାଘୁଆବାର୍ତ୍ତା): ଖଣ୍ଡପଡ଼ା ଥାନା ଅନ୍ତର୍ଗତ ଶିଖରପୁର ଗ୍ରାମ ଡେରାସାହିରେ ରବିବାର ଝୁମୁରୀ ସାହୁ(୩୫)ଙ୍କୁ ଶାଶୁଘର ଲୋକେ ହତ୍ୟା କରିଥିବା ସଂପର୍କରେ ତାଙ୍କ ବାପା ଯୋଗେନ୍ଦ୍ର ସାହୁ ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ଖଣ୍ଡପଡ଼ା ଥାନାରେ ୧୦୦/୨୧ରେ ଏକ ମାମଲା ରୁଜୁ ହୋଇଛି । ସୂଚନାନୁସାରେ, ୮ ବର୍ଷ ତଳେ ଶିଖରପୁର ଗ୍ରାମର ଭାଗିରଥି ଚୈାଧୁରୀଙ୍କ ବଡ଼ପୁଅ ଶୁସାନ୍ତଙ୍କ ସହ ଓଡଗାଁ ଥାନା ଅନ୍ତର୍ଗତ ବେରୁଆବାରୀ ଗ୍ରାମର ଯୋଗେନ୍ଦ୍ର ସାହୁଙ୍କ ଝିଅ ଝୁମୁରୀ ସହ ବୈଦିକ ରୀତିନୀତିରେ ବିବାହ ହୋଇଥିଲା । ମହିଳାଙ୍କୁ ହତ୍ୟା କରାଯାଇଥରବା ଅଭିଯୋଗ ପରେ ରବିବାର ରାତିରେ ପୁଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ସାଇନଟିଫିକ୍ ଟିମ ମଧ୍ୟ ତଦନ୍ତ କରିଥିବା ବେଳେ ଆଜି ମହିଳାଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି । ମୃତ ମହିଳାଙ୍କ ସ୍ୱାମୀ, ଶ୍ୱଶୁର, ଦିଅର ଓ ଯାଆ ଫେରାର ଥିବା ଜଣାଯାଇଛି ।






