ଭୁବନେଶ୍ୱର : (ବାଘୁଆବାର୍ତ୍ତା): ଏତେ ଟଙ୍କା ହୁଏତ ଆପଣ ଆଗରୁ କେବେ ଏକା ସାଙ୍ଗେ ଦେଖିନଥିବେ । ଲକ୍ଷେ କି କୋଟିଏ ନୁହେଁ, ଏକା ସାଙ୍ଗେ ଜବତ ହୋଇଛି ସାଢ଼େ ୪ କୋଟି ଟଙ୍କା । ଆଉ ଏହି ଟଙ୍କା ଗଣିବା ପାଇଁ ସକାଳରୁ ସନ୍ଧ୍ୟା ହୋଇଯାଇଥିଲା । ରାଜସ୍ଥାନର ଡୁଙ୍ଗରପୂରରେ ଗୁଜୁରାଟକୁ ଯାଉଥିବା ଏକ କାର ଜବତ କରିଥିଲା ପୋଲିସ । ଆଉ ଏହି କାର ଭିତରୁ ସାଢ଼େ ୪ କୋଟି ଟଙ୍କା ଜବତ କରାଯାଇଥିଲା । ଏହି ସମସ୍ତ ଟଙ୍କା ବେଆଇନ ଅର୍ଥାତ ବ୍ଳାକ ମନି । ତେବେ ଏହି ଟଙ୍କା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଜାତୀୟ ଗଣମାଧ୍ୟମରୁ ସୂଚନା ଅନୁଯାୟୀ, ଏହି ଟଙ୍କା ଦିଲ୍ଲୀରୁ ଗୁଜୁରାଟକୁ ଯାଉଥିଲା । ଏହି ଘଟଣା ବାବଦରେ ଅଧିକ ତଦନ୍ତ ଜାରି ରହିଥିବା ବେଳେ, ସ୍ଥାନୀୟ ଡି,ସପି ମନୋଜ ସମାରିୟାଂ କହିଛନ୍ତି, ଅଭିଯୁକ୍ତଙ୍କୁ ଅଧିକ ପଚରାଉଚୁରା କରାଯାଉଛି । ପ୍ରାରମ୍ଭିକ ତଦନ୍ତରୁ ଏହି ସବୁ ଟଙ୍କା ବ୍ଲାକ ମନି ବୋଲି ଜଣାପଡିଛି । ତେବେ ସବୁଠାରୁ ରୋଚକ ଦୃଶ୍ୟ ଥିଲା, ଯେତେବେଳେ ଜବତ ହୋଇଥିବା ଟଙ୍କାର ପରିମାଣ ଜାଣିବାକୁ ଏହାକୁ ପୋଲିସ ଗଣିବା ଆରମ୍ଭ କରିଥିଲା । ଏତେ ଟଙ୍କା ହାତରେ ଗଣିବା ଅସମ୍ଭବ । ଆଉ ଥାନାରେ ମଧ୍ୟ ଟଙ୍କା ଗଣିବା ମେସିନ ନଥାଏ । ଯେଉଁଥିପାଇଁ ଟଙ୍କା ଗଣିବାକୁ ବ୍ୟାଙ୍କରୁ ମେସିନ ମଗାଇବାକୁ ପଡିଥିଲା । ଆଉ ଆଶ୍ଚର୍ଯ୍ୟକର କଥା ହେଉଛି, ଏତେ ଟଙ୍କା ଗଣିବାକୁ ସକାଳୁ ସନ୍ଧ୍ୟା ବିତିଯାଇଥିଲା । ଡିଏଲ୮ସିଏ ଏକ୍ସ୩୫୭୩ ଏହି ନମ୍ବର କାରକୁ ମଧ୍ୟ ଜବତ କରିଛି ପୋଲିସ । ଏହି ଗାଡିରେ ହିଁ କଳା ଟଙ୍କାର କାରବାର ଚାଲିଥିଲା । ବିଛିୱାଡା ଥାନା ଗୁଜୁରାଟର ହିମ୍ମତନଗର ବର୍ଡର ରାସ୍ତାରେ ଅବସ୍ଥିତ । ଜାତୀୟ ରାଜପଥ ଏହି ରାସ୍ତା ଦେଇ ଯାଇଛି । ତେବେ ପ୍ରାୟତଃ ଏହି ରାସ୍ତା ଦେଇ ତସ୍କରୀ, କଳାବଜାରୀ କରାଯାଇଥାଏ ।






