ଢେଙ୍କାନାଳ (ବାଘୁଆବାର୍ତ୍ତା): ଜମିବାଡି ବିବାଦକୁ ନେଇ ବାପା-ପୁଅ ଭିତରେ ବିବାଦ ରକ୍ତାକ୍ତ ରୂପ ନେଇଛି । ଏପରିକି ଭାଗ ବାଣ୍ଟିବାକୁ ଦାବି କରି ବିଫଳ ହେବାରୁ ଟାଙ୍ଗିଆରେ ବାପାକୁ ଅତି ନୃଶଂସ ଭାବେ ହତ୍ୟା କରି ପୁଅ ଫେରାର ହୋଇଯାଇଛି । ତେବେ ପ୍ରତିବାଦ କରିବାକୁ ଯାଇ ଭଉଣୀ ମଧ୍ୟ ଭାଇର ଆକ୍ରମଣରେ ଆହତ ହୋଇଥିବା ଜଣାପଡିଛି । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା ଅନ୍ତର୍ଗତ ଡଙ୍ଗାପାଳ ଗ୍ରାମର ଆମ୍ବତୈଲା ସାହିରେ ଘଟିଛି ଏଭଳି ହତ୍ୟାକାଣ୍ଡ । ରବିବାର ରାତିରେ ଏଭଳି ହତ୍ୟାକାଣ୍ଡ ଘଟିଛି । ମୃତକ ଜଣଙ୍କ ଡଙ୍ଗାପାଳ ଗ୍ରାମର ସନାତନ ମାହୁନ୍ତ ବୋଲି ଜଣାପଡିଛି । ସନାତନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଖବର ପାଇ କଙ୍କଡାହାଡ ଥାନା ପୋଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ନେଇଛି । ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ପୁଅ ତପନ ମାହୁନ୍ତ ଫେରାର ହୋଇଯାଇଛି । ସେପଟେ ମୃତ ସନାତନଙ୍କ ଝିଅ ଭାଇର ଆକ୍ରମଣରେ ସାମାନ୍ୟ ଆହାତ ହୋଇଛନ୍ତି । ଅଭିଯୁକ୍ତ ତପନ ହେଲେ ସନାତନଙ୍କ ପ୍ରଥମ ପତ୍ନୀଙ୍କ ପୁଅ । ତେବେ ଘର ଜମିବାଡି ସବୁ ଭାଗ କରିବାକୁ ତପନ ଦାବି କରି ଆସୁଥିଲେ । ମାତ୍ର ଝିଅମାନଙ୍କର ବାହାଘର ହେବା ପରେ ଭାଗ କରାଯିବ ବୋଲି ସନାତନ ପୁଅର ଦାବିକୁ ଏଡାଇ ଦେଉଥିଲେ । ଏପରିକି ଏହାକୁ ନେଇ ଗ୍ରାମ ସଭା ନିଷ୍ପତ୍ତିରେ ପୁଅ ତପନ ନିଜର ଉଦ୍ୟମ ବିଫଳ ହୋଇଥିଲା । ରବିବାର ବିଳମ୍ବିତ ରାତିରେ ବାପା ସନାତନ ଘରେ ଶୋଇଥିବା ବେଳେ ଏକ ଟାଙ୍ଗିଆରେ ତପନ ନୃଶଂସ ଭାବେ ହାଣି ହତ୍ୟା କରିଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।






