ରାୟପୁର (ବାଘୁଆବାର୍ତ୍ତା): ଟୁଲକିଟ ମାମଲରେ ପଚରା ଉଚରା କରିବା ପାଇଁ ଆଜି ଛତିଶଗଡ଼ ପୁଲିସ ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ସମନ କରିଥିଲା । ସମ୍ବିତ କିନ୍ତୁ ହାଜର ହୋଇନାହାନ୍ତି । ଏଥିପାଇଁ ସେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କୁ ପୁଲିସ ଏହି ମାମଲାରେ ପଚରାଉଚରା କରିବ ବୋଲି ଜଣାପଡିଛି । କଂଗ୍ରେସ ଏନଏସୟୁଆଇ ଛାତ୍ର ସଂଗଠନ ରାୟପୁରରେ ଟୁଲକିଟ ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ଏବଂ ପାତ୍ରଙ୍କ ବିରୋଧରେ ଏଫଆଇ ଆର ଦାଖଲ କରିଥିଲା । ଯେଉଁଥିରେ ଏଆଇସିସି ର ନକଲି ଲେଟର ପ୍ୟାଡ ବ୍ୟବହାର କରି ଜାଲ ଟୁଲକିଟ ବିଜେପି ତିଆରି କରିଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ଏନଏସୟୁଆଇ ଏ ନେଇ ଏଫଆଇଆର ଦାଖଲ କରିବା ପରେ ରାୟପୁର ପୁଲିସ ଆଜି ସମ୍ବିତଙ୍କୁ ଅପରାହ୍ନ ୪ଟାରେ ରାୟପୁରର ସିଭିଲ ଲାଇନ ଥାନାରେ ବ୍ୟକ୍ତିଗତ ନହେଲେ ଭିଡିଓ କନଫରେନସିଂ ଜରିଆରେ ହାଜର ହେବାକୁ କହିଥିଲା । ସମ୍ବିତ ପାତ୍ର ହାଜର ହେବା ପାଇଁ ସାତ ଦିନ ସମୟ ଲୋଡିଛନ୍ତି । ଯଦି ସାତ ଦିନ ମଧ୍ୟରେ ସମ୍ବିତ ହାଜର ନହେବେ ତେବେ ରାୟପୁର ପୁଲିସ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଜଣାପଡିଛି । ସେହିପରି ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ରାଷ୍ଟ୍ରୀୟ ଉପସଭାପତି ରମଣ ସିଂହଙ୍କୁ ସୋମବାର ଅର୍ଥାତ ଆସନ୍ତା କାଲି ୧୨ଟା୩୦ ସମୟରେ ତାଙ୍କ ଘରେ ଉପସ୍ଥିତି ରହିବାକୁ ରାୟପୁର ପୁଲିସ ନିର୍ଦ୍ଦେଶ ଦେଇଛି । ପୁଲିସ ରମଣଙ୍କୁ ତାଙ୍କ ଘରେ ପଚରାଉଚରା କରିବ ବୋଲି କହିଛି ।






