ଭୁବନେଶ୍ୱର (ବାଘୁଆବାର୍ତ୍ତା): ଆସନ୍ତା ୨୬ରେ ସଂଗଠିତ ହେବ ବିରଳ ମହାଜାଗତିକ ଘଟଣା। ୨୬ ତାରିଖରେ ଏକକାଳୀନ ସୁପରମୁନ୍, ଲାଲଜହ୍ନ ଓ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ପଡୁଛି। ୨୦୨୧ ମସିହାର ଏହା ପ୍ରଥମ ଚନ୍ଦ୍ରଗ୍ରହଣ ହେବ। ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ବୈଶାଖ ପୂର୍ଣ୍ଣିମା ଅର୍ଥାତ୍ ୨୬ ତାରିଖରେ ହେବାକୁ ଯାଉଛି। ଏହା ଏକ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବ, ଯାହା ପୃଥିବୀର ଅନେକ ଦେଶରେ ଦୃଶ୍ୟମାନ ହେବ। ଏହା ମଧ୍ୟ ୨୦୨୧ ମସିହାର ଶେଷ ସୁପରମୁନ୍ ଦୃଶ୍ୟମାନ ହେବ। ଏହି ସମୟରେ ଚନ୍ଦ୍ର ସାଧାରଣ ଦିନର ପୂର୍ଣ୍ଣ ଚନ୍ଦ୍ର ଠାରୁ ପ୍ରାୟ ୭ ପ୍ରତିଶତ ବଡ଼ ଏବଂ ୧୫ ପ୍ରତିଶତ ଉଜ୍ଜ୍ୱଳ ଦେଖାଯିବ। ସଂଯୋଗ ବଶତଃ ସେହି ଦିନ ଏକ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ସଂଗଠିତ ହେବ । ସେହିଦିନ ଚନ୍ଦ୍ର ଗ୍ରହଣ ସମୟରେ ଚନ୍ଦ୍ର ପୃଥିବୀର ଛାୟାରେ ଅପରାହ୍ନ ୩ଟା ୧୪ମିନିଟରେ ପ୍ରବେଶ କରିବ ଏବଂ ସଂଧ୍ୟା ୬ଟା ୨୨ରେ ଛାୟାରୁ ସଂପୂର୍ଣ୍ଣ ବାହାରିଯିବ । ଚନ୍ଦ୍ର ଛାୟା ଭିତରେ ଥିବା ବେଳେ ହିଁ ଗ୍ରହଣକୁ ଖାଲି ଆଖିରେ ଦେଖିହୁଏ । କିନ୍ତୁ ସେ ସମୟରେ ଭାରତ ଓଡିଶାରେ ଦିନ ହୋଇଥିବ ଏବଂ ଏଠାରେ ଚନ୍ଦ୍ର ଦିଗବଳୟ ତଳେ ଥିବାରୁ ଚନ୍ଦ୍ରଗ୍ରହଣ ଦେଖିହେବ ନାହିଁ । ସୂର୍ଯ୍ୟ ଚାରିପଟେ ବୁଲୁଥିବା ବେଳେ ଚନ୍ଦ୍ର ପୃଥିବୀ ଚାରିପଟେ ଏକ ନିର୍ଦ୍ଦିଷ୍ଟ କକ୍ଷପଥରେ ଘୁରୁଛି । ଯେତେବେଳେ ଏହି ତିନୋଟି ପିଣ୍ଡ ଗୋଟିଏ ସରଳ ରେଖାରେ ରୁହନ୍ତି ଓ ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡେ, ସେତେବେଳେ ଚନ୍ଦ୍ର ଗ୍ରହଣ ହୋଇଥାଏ । ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ସମୟରେ ଚନ୍ଦ୍ର ରକ୍ତ ବର୍ଣ୍ଣ ବା ଲାଲ ରଙ୍ଗ ଧାରଣ କରିଥାଏ ।






