ଖୋର୍ଦ୍ଧା (ବାଘୁଆବାର୍ତ୍ତା): କରୋନା ସଙ୍କଟ ବେଳେ ଆମ୍ବୁଲାନ୍ସର ଚାହିଦା ବଢ଼ିଛି । ଆମ୍ବୁଲାନ୍ସରେ ରୋଗୀ, ଅକ୍ସିଜେନ ସବୁ ବୁହାହେଉଛି । ଏପରିକି ଆମ୍ବୁଲାନ୍ସ ନମିଳିବାରୁ ରୋଗୀଙ୍କ ପ୍ରାଣ ଚାଲି ଯାଉଥିବା, ସାଇକେଲରେ ରୋଗୀ ବୁହା ହେଉଥିବା ଭଳି ବିକଳ ଚିତ୍ର ମଧ୍ୟ ସାମ୍ନାକୁ ଆସୁଛି । ସେପଟେ ଚାରିଆଡେ ଲକଡାଉନ, ସଟଡାଉନ ଭଳି କଟକଣା ଲାଗୁ ହୋଇଥିବାରୁ ଆମ୍ବୁଲାନ୍ସକୁ ଗଳାବାଟ ସଜାଇଛନ୍ତି ମଦ ମାଫିଆ । ଏହାର ସୁଯୋଗ ନେଇ ଆମ୍ବୁଲାନ୍ସରେ ମଦର ଚାଲିଛି ଚୋରା ଚାଲାଣ । ହଳଦିଆ ହାଟଛକ ଠାରେ ଏକ ଆମ୍ବୁଲାନ୍ସରୁ ଚୋରା ମଦ ଜବତ ହୋଇଛି । ଆମ୍ବୁଲାନ୍ସରେ ଦେଶୀ ମଦ ନେଇ ଗଲାବେଳେ କୌଣସି ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଏହି ମଦ ଜବତ କରିଛି । ତଦନ୍ତ ବେଳେ ଆମ୍ବୁଲାନ୍ସ ଭିତରୁ ପ୍ରାୟ ୧୫୦ ଲିଟର ଦେଶୀ ମଦ ଜବତ ହୋଇଛି । ପୋଲିସ ମଦ ବୋଝେଇ ଆମ୍ବୁଲାନ୍ସ ଜବତ କରିବା ସହ ଡ୍ରାଇଭର ସରୋଜ ତ୍ରିପାଠୀକୁ ଗିରଫ କରିଛି । ଆମ୍ବୁଲାନ୍ସ ଟି ଆଠଗଡ଼ ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ଜଣା ପଡିଛି ।






