ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ମୟୁରଝାଲିଆରେ ଆଜି ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଉକ୍ତ ଗାଁରୁ ୨୦ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ଗାଁକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ମାତ୍ର ଗାଁକୁ ଯାଇଥିବା ସ୍ୱାସ୍ଥ୍ୟକର୍ମୀଙ୍କ ଆଜି କରୋନା ଆକ୍ରାନ୍ତ ବ୍ୟକ୍ତି ଏବଂ ଗ୍ରାମବାସୀ ମିଶି ଅଟକ ରଖିଛନ୍ତି । ସେମାନଙ୍କର ଆରଟିପିସିଆର୍ ପରୀକ୍ଷା ପଜିଟିଭ ଆସିଥିବା ବେଳେ ଆଜି ଆଣ୍ଟିଜେନ ନେଗେଟିଭ ଆସିଥିଲା । ଯାହାକୁ ନେଇ ଗ୍ରାମରେ ଉତ୍ତେଜନା ମୂଲକ ପରିସ୍ଥିତି ସୃଷ୍ଟି ହୋଇଛି । ସ୍ୱାସ୍ଥ୍ୟକର୍ମଚାରୀଙ୍କୁ ଅଟକ ରଖାଯିବା ପରେ ଘଟଣାସ୍ଥଳରେ ତହସିଲଦାର ସଂଜୟ ସାମନ୍ତରାୟ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ସୁଫଳ ମିଳିନଥିଲା । ଖବରପାଇ ଚାନ୍ଦପୁର ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ୱାସ୍ଥ୍ୟ କର୍ମୀ ଏବଂ ତହସିଲଦାରଙ୍କୁ ଉଦ୍ଧାର କରିଥିବା ସୂଚନା ମିଳିଛି । ଗ୍ରାମବାସୀ ଏବଂ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଉକ୍ତ ଗ୍ରାମର ଲବୁ କଳସ ଏବଂ କାଳୁ ପ୍ରଧାନ ନାମକ ଦୁଇ ପଥର ମାଫିଆ ଉସକାଇ ଏଭଳି କାଣ୍ଡ କରିଥିବା ଥାନା ଅଧିକାରୀ କହିଛନ୍ତି । ସ୍ୱାସ୍ଥ୍ୟକର୍ମୀଙ୍କୁ ଅଟକାଇବା ଘଟଣାରେ ଏକ ମାମଲା ରୁଜୁ ହେବ ବୋଲି ଥାନା ଅଧିକାରୀ ରଶ୍ମିରଞ୍ଜନ ଦାଶ ସୂଚନା ଦେଇଛନ୍ତି ।






