ଭୁବନେଶ୍ୱର (ବାଘୁଆବାର୍ତ୍ତା): ଆନ୍ଧ୍ରପ୍ରଦେଶରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି ଆନ୍ଧ୍ର ହାଇକୋର୍ଟ । ସେହିପରି କୋଟିଆରେ ଆନ୍ଧ୍ର ପକ୍ଷରୁ ହୋଇଥିବା ନିର୍ବାଚନ ବି ଅସିଦ୍ଧ ଘୋଷଣା କରିଛନ୍ତି ହାଇକୋର୍ଟ । ଏହି ପଞ୍ଚାୟତ ନିର୍ବାଚନରେ ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଉଲ୍ଲଂଘନ ହୋଇଥିବା କହିଲେ କୋର୍ଟ । ଏବେ ନିର୍ବାଚନ ଅସିଦ୍ଧ ସହ ପୁଣି ଥରେ ନିୟମାନୁସାରେ ନିର୍ବାଚନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଗତ ଏପ୍ରିଲ ମାସରେ ଆନ୍ଧ୍ରରେ ପଞ୍ଚାୟତ ନିର୍ବାଚନ ହୋଇଥିଲା । ଏହା ପୂର୍ବରୁ ଏପ୍ରିଲ ୬ ତାରିଖରେ ହାଇକୋର୍ଟର ଜଣିକିଆ ବେଞ୍ଚ ପଞ୍ଚାୟତ ନିର୍ବାଚନ ଉପରେ ରୋକ ଲଗାଇଥିଲେ । ହେଲେ ପରଦିନ ଅର୍ଥାତ ଏପ୍ରିଲ ୭ ତାରିଖରେ ଡିଭିଜନ ବେଞ୍ଚ ଉକ୍ତ ନିର୍ଦ୍ଦେଶକୁ ରଦ୍ଦ କରି ପଞ୍ଚାୟତ ନିର୍ବାଚନ କରିବାକୁ ଅନୁମତି ଦେଇଥିଲେ । ଯାହା ଫଳରେ ଏପ୍ରିଲ ୮ ତାରିଖରେ ଭୋଟ ପାଇଁ ପୂରା ବାଟ ଫିଟି ଯାଇଥିଲା । ହେଲେ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଭୋଟ ଗଣତି କିମ୍ବା ରେଜଲ୍ଟ ପ୍ରକାଶ ପାଇପାରିବ ନାହିଁ । ରାଜ୍ୟରେ ପଞ୍ଚାୟତ ନିର୍ବାଚନ କରିବାକୁ ଗତ ୧ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୮ ତାରିଖରେ ଭୋଟିଂ ଓ ୧୦ ତାରିଖରେ ଫଳାଫଳ ପ୍ରକାଶ କରିବାକୁ ରାଜ୍ୟ ନିର୍ବାଚନ ଅଧିକାରୀ ନିଲମ ଶହନେୟ ବିଜ୍ଞପ୍ତି ପ୍ରକାଶ କରିଥିଲେ । କିନ୍ତୁ ଏତେ ତରବରିଆ ଓ ଖୁବ କମ ଦିନରେ ନିର୍ବାଚନ କରିବାକୁ ନିଷ୍ପତ୍ତି ହୋଇଥିବାରୁ ଏହାକୁ ଚ୍ୟାଲେଞ୍ଜ କରି ବିରୋଧୀ ଟିଡିପି, ବିଜେପି ଓ ଜନସେନା ପାର୍ଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।






