ଭୁବନେଶ୍ୱର,(ବାଘୁଆବାର୍ତ୍ତା): ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସୂଚନା ଓ ଲୋକସଂପର୍କ ବିଭାଗର ମିଳିତ ସହଯୋଗରେ କୋଭିଡ୍-୧୯ ମହାମାରୀର ଦ୍ୱିତୀୟ ଲହରୀର ଭୟାବହତା ଉପରେ ତୃଣମୂଳ ସ୍ତରରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ସଚେତନତା ରଥର ଲୋକାର୍ପଣ କରାଯାଇଛି । ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ରାଜସ୍ୱ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏବଂ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, ସଂସ୍କୃତି ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ରଞ୍ଜନ କୁମାର ଦାସ, ପ୍ରୋଜେକଫ ହୋପ୍ର ପ୍ରକଳ୍ପ ସଂଯୋଜକ ଶ୍ରୀ ଆଲୋକ କୁମାର ମହାନ୍ତି, ମାଇଁ ହାର୍ଟର ଉପଦେଷ୍ଟା ଡ. ପ୍ରବୋଧ କୁମାର ମିଶ୍ର, ମାଇଁ ହାର୍ଟ ସେ୍ୱଚ୍ଛାସେବୀ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ଶକ୍ତିଧର ସାହୁ, ନେହେରୁ ଯୁବ କେନ୍ଦ୍ରର ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ନବୀନ ନାୟକ ଏବଂ ୟୁନିସେଫ୍ର ରାଜ୍ୟ ସଂସ୍କୃତି ସଂଯୋଜକ ଶ୍ରୀ ବାସୁଦେବ ମାଳବିଶୋଇଙ୍କ ଉପସ୍ଥିତିରେ ଶୁଭାରମ୍ଭ କରାଯାଇଛି । ଏହି ଅଭିଯାନ ନିମନ୍ତେ ଆଠଗୋଟି ଯାନକୁ ସୁସଜ୍ଜିତ କରି ଯାନରେ ଭିଡ଼ିଓ ଓ ଦୃଶ୍ୟଶ୍ରାବ୍ୟର ବ୍ୟବସ୍ଥା ଥାଇ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ନିୟୋଜିତ କରାଯାଇଛି । ଏହି ରଥଗୁଡ଼ିକ ଖୋର୍ଦ୍ଧା, ପୁରୀ, କଟକ ଏବଂ ଜଗତସିଂହପୁର ଏହି ଚାରୋଟି ଜିଲ୍ଲାରେ ଆଗାମୀ ତିନି ମାସ ଧରି ସଚେତନତା କାର୍ଯ୍ୟ କରିବ । ପ୍ରତ୍ୟେକ ଜିଲ୍ଲାକୁ ଦୁଇଟି ଲେଖାଏଁ ରଥ ପ୍ରେରଣ କରିବାର ବ୍ୟବସ୍ଥା କରାଯାଇଛି । ଉତ୍ସର୍ଗୀକୃତ ତିନିଟି ସଚେତନତାଧର୍ମୀ ସଂଗୀତରୁ ‘ଭାଙ୍ଗିବା ଲକ୍ଡାଉନ୍, ଭାଙ୍ଗିବା ସଟ୍ଡାଉନ୍’ ଏବଂ ‘କେଉଁ ବେଳାରେ ଆସିଲା ଏହି କରୋନା ଭୂତାଣୁ’କୁ ସଂସ୍କୃତି ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ ଓ ତୃତୀୟ ଗୀତ ‘ଆସରେ ଆସ କରିବା ପଣ’କୁ ଶ୍ରୀ ବାସୁଦେବ ମାଳବିଶୋଇ ରଚନା କରିଛନ୍ତି । ଶ୍ରୀ ପବିତ୍ର ପଟ୍ଟନାୟକଙ୍କ ସଂଗୀତ ନିର୍ଦ୍ଦେଶନାରେ କଣ୍ଠଦାନ କରିଛନ୍ତି ସତ୍ୟଜିତ ଓ ରଶ୍ମି ।






