କେନ୍ଦୁଝର, (ବାଘୁଆବାର୍ତ୍ତା): ରାଜ୍ୟରେ ପୁଅ ସଂଖ୍ୟା ତୁଳନା ଝିଅଙ୍କ ସଂଖ୍ୟା କମ୍ ରହିଛି । ସେଥିପାଇଁ ସରକାର ବେଟି ବଚାଓ ବେଟି ବଢାଓ ଯୋଜନା କରିଛନ୍ତି । ତଥାପି ଏସମାଜ ଝିଅକୁ ଅଲୋଡା କରି ଦେଉଛି । ଝିଅ ଟେ ଜନ୍ମ ହେଲା ମାନେ ପରିବାର ଭିତରେ ମନମାଳିନ୍ୟ ଠାରୁ ଆରମ୍ଭ କରି କେତେ କଣ ହେଇଯାଉଛି କିନ୍ତୁ ଏମିତି ଏକ ଘଟଣା ଘଟିଛି ଯେଉଁଠି କି ଜନ୍ମ ହୋଇଥିବା ଶିଶୁ କନ୍ୟାଟିର ମୃତ୍ୟୁ ହେଲା ପରେ ବାପା ଦୁଃଖରେ ଭାଙ୍ଗି ପଡି ଆତ୍ମହତ୍ୟା କରିଛନ୍ତି । ଏଭଳି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଗୁମୁରା ଅଞ୍ଚଳରେ । ସୂଚନାନୁସାରେ, କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ ଗୁମୁରା ଗାଁର ମଦନ ତିଉଆ ଓ ସ୍ତ୍ରୀ ଟିକି ସିଙ୍ଗୀ ଉଭୟଙ୍କ ଔରଷରୁ ମେ ୬ ତାରିଖରେ କେନ୍ଦୁଝର ଡାକ୍ତରଖାନାରେ ଏକ ଶିଶୁକନ୍ୟା ଜନ୍ମ ହୋଇଥିଲା । ଜନ୍ମ ହେବାର ୮ଦିନ ପରେ ଶିଶୁକନ୍ୟାର ସ୍ୱାସ୍ଥ୍ୟ ଖରାପ ହେବାରୁ ତାକୁ ପୁଣି କେନ୍ଦୁଝର ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ । ଶିଶୁକନ୍ୟାକୁ ଶିଶୁ ୱାର୍ଡରେ ଚିକିତ୍ସାଧିନ ଅବସ୍ଥାରେ ଶିଶୁକନ୍ୟାର ମୃତ୍ୟୁ ହୋଇଥିଲା । ଶିଶୁକନ୍ୟାଟିକୁ ହରାଇ ମା ବାପା ଦୁଃଖରେ ଭାଙ୍ଗି ପଡିଥିଲେ । ଖିଆପିଆ ଛାଡି ଦେଇଥିଲେ । ଦିନ ରାତି ଆଖି ଲୁହକୁ ଜାବୁଡି ଧରି ଉଭୟ ସ୍ୱାମୀ ସ୍ତ୍ରୀ କୀଟନାଶକ ଔଷଧ ପିଇ ଦେଇଥିଲେ । ସେମାନଙ୍କୁ ପରିବାର ଲୋକ କେନ୍ଦୁଝର ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ସ୍ୱାମୀ ମଦନ ଆଖି ବୁଜି ଦେଇଥିବା ବେଳେ ସ୍ତ୍ରୀ ଟିକିର ଅବସ୍ଥା ଶଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।






