ଗୋଆ (ବାଘୁଆବାର୍ତ୍ତା): ତେହେଲକା ମ୍ୟାଗାଜିନର ପୂର୍ବତନ ମୁଖ୍ୟ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ତରୁଣ ତେଜପାଲଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି । ୨୦୧୩ ମସିହା ଯୌନ ଉତ୍ପୀଡନ ଓ ଦୁଷ୍କର୍ମ ମାମଲାରେ ଗୋଆ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଅତିରିକ୍ତ ବିଚାରପତି ଜଷ୍ଟିସ କେ ଯୋଶୀ ମାମଲାର ଶୁଣାଣି କରି ତାଙ୍କୁ ୮ ବର୍ଷ ତଳ ମାମଲାରେ ଦୋଷମୁକ୍ତ କରିଛନ୍ତି । ୨୦୧୩ରେ ତରୁଣ ତେଜପାଲ ତାଙ୍କର ଜଣେ କନିଷ୍ଠ ସହଯୋଗୀଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଥିଲା । ଗୋଆର ଗୋଟିଏ ହୋଟେଲର ଲିଫ୍ଟରେ ସେ ମହିଳା ସହଯୋଗୀଙ୍କୁ ସେକ୍ସୁଆଲ ଆସଲଲ୍ଟ କରିଥିବା ଅଭିଯୋଗ ଆସିବା ପରେ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା । ଅଭିଯୋଗକୁ ଆଧାର କରି ଗୋଆ ପୁଲିସ ତରୁଣଙ୍କ ବିରୋଧରେ ବିଭିନ୍ନ ଦଫାରେ ମାମଲା କରିଥିଲା । ୨୦୧୩ ନଭେମ୍ବରରେ ସେ ଗିରଫ ହୋଇଥିଲେ । କିନ୍ତୁ ୨୦୧୪ ଜୁଲାଇରେ ତାଙ୍କୁ ଜାମିନ ମିଳିଥିଲା । ୨୦୧୭ରେ ଗୋଆ କୋର୍ଟରେ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା । ଏସବୁ ଭିତରେ ତାଙ୍କ ବିରୋଧରେ ରୁଜୁ ମାମଲାକୁ ଖାରଜ କରିବାକୁ ସେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ଏହାକୁ ଆଗ୍ରାହ୍ୟ କରିଦେଇଥିଲେ । ଶେଷରେ ସେ ସୁପ୍ରିମକୋର୍ଟ ଯାଇଥିଲେ । ସୁପ୍ରିମକୋର୍ଟ ମଧ୍ୟ ଏଥିରେ ହସ୍ତକ୍ଷେପ କରିବାକୁ ମନା କରିଦେଇଥିଲେ । ୨୦୧୯ ଅଗଷ୍ଟ ୧୯ରେ ସୁପ୍ରିମ କୋର୍ଟ ତରୁଣ ତେଜପାଲଙ୍କ ଆବେଦନକୁ ଅଗ୍ରାହ୍ୟ କରିଥିଲେ । ଗୋଆ କୋର୍ଟ ଦୀର୍ଘ ବର୍ଷ ଧରି ମାମଲାର ଶୁଣାଣି କରିବା ପରେ ଆଜି ରାୟ ପ୍ରକାଶ କରିଛନ୍ତି ।






