ଭୁବନେଶ୍ୱର (ବାଘୁଆବାର୍ତ୍ତା): ଭୁବନେଶ୍ୱର ଝାରପଡା ଜେଲରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ପୂର୍ବରୁ ଜେଲ ଅଧିକାରୀଙ୍କ ସହ ୧୧ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ବେଳେ ଗୁରୁବାର ପୁଣି ୯୬ କଏଦୀ କରୋନା ଆକ୍ରାନ୍ତ ହୋଇଥିବା ଜେଲ ବିଭାଗ ସୂଚନା ଦେଇଛି । ଏଭଳି ରିପୋର୍ଟ ମିଳିବା ପରେ ଅନ୍ୟ ଅନ୍ତେବାସୀଙ୍କ ସୁରକ୍ଷା ନେଇ ଜେଲ କର୍ତ୍ତୁପକ୍ଷଙ୍କ ଚିନ୍ତା ବଢ଼ିଛି । କାରାଗାର ପରିସରରେ ଥିବା ଏକ ବ୍ଳକକୁ ତୁରନ୍ତ ବିଶୋଧନ କରାଯିବା ସହ ଏହାକୁ ସଙ୍ଗରୋଧ କେନ୍ଦ୍ର କରାଯାଇଛି । ଉକ୍ତ ବ୍ଳକର ୮ କୋଠରୀରେ ସଂକ୍ରମିତ ହୋଇଥିବା ନୂଆ ରୋଗୀଙ୍କୁ ଚିକିତ୍ସା କରାଯିବ । ଜେଲ ଡାକ୍ତର ଓ ଫାର୍ମାସିଷ୍ଟ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନିୟମିତ ଯାଞ୍ଚ କରିବା ସହ ଚିକିତ୍ସା ଦାୟିତ୍ୱରେ ରହିବେ । ସମସ୍ତ ସଙ୍ଗରୋଧ ଗୃହରେ ଅନ୍ୟୁନ ୧୨୮ ଜଣ ରୋଗୀଙ୍କୁ ରଖାଯିବାର ବ୍ୟବସ୍ଥା ରହିଛି ହୋଲି ଜଣେ ଅଧିକାରୀ କହିଛନ୍ତି । କୌଣସି ରୋଗୀ ଗୁରୁତର ହେଲେ ତୁରନ୍ତ ତାଙ୍କୁ କୋଭିଡ କେୟାରରେ ସଭେର୍ତ୍ତି କରାଯିବ । ଅନ୍ୟପକ୍ଷରେ ହଠାତ ଏତେ ସଂଖ୍ୟକ କଏଦୀଙ୍କୁ କରୋନା ପରେ ଜେଲରେ ସାନିଟାଇଜ ବ୍ୟବସ୍ଥା ଓ ଶାରୀରିକ ଦୂରତା କଡାକଡି କରିବା ସହ ଇ-ମୁଲାକାତ ଉପରେ ଗୁରୁତ୍ୱ ଦେବାକୁ କାରାଗାର ବିଭାଗ ଜେଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛି । ଝାରପଡା ଜେଲରେ ସଜ୍ଜା କାଟୁଥିବା ଜଣେ କଏଦୀଙ୍କ କରୋନାରେ ମୃତ୍ୟୁ ପରେ ଗତ ୧୮ ତାରିଖରେ ୧୯୫ କଏଦୀଙ୍କ ସ୍ୱାବ ପରୀକ୍ଷା ପାଇଁ ପଠା ଯାଇଥିଲା । ସେଥିମଧ୍ୟରୁ ୯୬ କଏଦୀ କରୋନା ସଂକ୍ରମିତ ହୋଇଛନ୍ତି ।






