ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ କାର୍ଯ୍ୟରତ ବିଭିନ୍ନ ଏକାଡେମୀର ସଭାପତି, ଉପସଭାପତି ଓ ସଚିବ ପଦବୀ ପୂରଣ ପାଇଁ ମନୋନୟନ କମିଟି ଦ୍ୱାରା ପ୍ରସ୍ତାବିତ ନାମକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ ପ୍ରଦାନ କରିଛନ୍ତି । ଏହି ଅନୁମୋଦନ କ୍ରମେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି, ଉପସଭାପତି ଓ ସଚିବ ଭାବେ ଯଥାକ୍ରମେ ଡ. ହୃଷିକେଶ ମଲ୍ଲିକ, ଶ୍ରୀ ସଂଗ୍ରାମ ଜେନା ଓ ଶ୍ରୀ ପ୍ରବୋଧ କୁମାର ରାଉତ (ଓକାକ୍ରେ କାର୍ଯ୍ୟରତ ଓଏଏସ୍ ଅଧିକାରୀ) କାର୍ଯ୍ୟ କରିବେ । ସେହିପରି ଓଡ଼ିଶା ସଂଗୀତ ନାଟକ ଏକାଡେମୀର ସଭାପତି ଓ ଉପସଭାପତି ପଦବୀ ପାଇଁ ଯଥାକ୍ରମେ ଶ୍ରୀମତୀ ଅରୁଣା ମହାନ୍ତି ଓ ଶ୍ରୀ ମନ୍ମଥ କୁମାର ଶତପଥୀ, ଓଡ଼ିଶା ଲଳିତ କଳା ଏକାଡେମୀର ଉପସଭାପତି ଓ ସଚିବ ପଦବୀ ପାଇଁ ଯଥାକ୍ରମେ ଶ୍ରୀ ଶ୍ରୀନିବାସ ପଢ଼ିହାରୀ ଓ ଶ୍ରୀ ପଞ୍ଚାନନ ସାମଲ ଏବଂ ଓଡ଼ିଶା ଊର୍ଦ୍ଦୁ ଏକାଡେମୀର ସଚିବ ପଦବୀ ପାଇଁ ଡ. ସୟେଦ ମୁସୀର ଆଲାମ୍ଙ୍କ ନାମ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଭ କରିଛି । ସୂଚନାଯୋଗ୍ୟ ଯେ ମନୋନୟନ କମିଟିର ଅଧ୍ୟକ୍ଷ ତଥା ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏମାନଙ୍କ ନାମକୁ ସରକାରଙ୍କ ଅନୁମୋଦନ ନିମନ୍ତେ ସୁପାରିଶ କରିଥିଲେ ।






