ଚା’ରୁ ଚପଲ ସବୁ ଖୋଲା
ନୟାଗଡ଼,(ବାଘୁଆବାର୍ତ୍ତା): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଓ ନିୟମାବଳୀକୁ ଜିଲ୍ଲା ପ୍ରଶାସନର ଫୁ । ସରକାର ଲକଡାଉନ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଜିଲ୍ଲା ପ୍ରଶାସନ ଏହାକୁ ଅଣଦେଖା କରୁଛି । ସହରରେ କେବଳ ପରିବା ଏବଂ ରାସନ ଦୋକାନ ଖୋଲିବାକୁ ନିୟମ ରହିଥିବା ବେଳେ ନୟାଗଡ଼ରେ ଚା’ଠାରୁ ଚପଲ ପର୍ଯ୍ୟନ୍ତ ସବୁ ଦୋକାନ ଖୋଲା ଯାଉଥିବା ଦେଖିବାକୁ ମିଳିଛି । ଏଥିପାଇଁ କିଏ ଅନୁମତି ଦେଇଛି, କିଏ ସାହାସ ବଢ଼ାଉଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାଜ୍ୟ ସରକାର ପରିବା ଏବଂ ରାସନ ପାଇଁ ଚାଲିକରି ଆସିବାକୁ ପରାମର୍ଶ ଦେଇଥିବା ବେଳେ ସହରରେ ସକାଳୁ ୧୨ଟା ପର୍ଯ୍ୟନ୍ତ ହଜାର ହଜାର ବାଇକ ବୁଲୁଛି । ଅନେକ ଅମାନିଆ ବିନା ମାସ୍କରେ ବୁଲୁଥିବା ବେଳେ ପରିବା ଦୋକାନ, ରାସନ ଦୋକାନ, ପାନ ଦୋକାନ, ଚା ଦୋକାନ, ବ୍ୟାଙ୍କ, ଏଟିଏମ୍ ପ୍ରଭୃତି ସ୍ଥାନରେ ସାମାଜିକ ଦୂରତାର ଚିହ୍ନ ବର୍ଣ୍ଣ ନଥିବା ଦେଖିବାକୁ ମିଳିଛି । ଲକଡାଉନ ପ୍ରଥମରୁ ଏସବୁ ଠିକଠାକ ଥିବା ବେଳେ ଏବେ କିଭଳି ସବୁ ବଦଳି ଗଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୁଲିସର ଅଣଦେଖା ନାଁ ପ୍ରଶାସନର ଖାମଖିଆଲ ନୀତି ପାଇଁ ଏଭଳି ଚାଲିଛି ବୋଲି ସହରରେ ଆଲୋଚନା ହେଉଛି । ଜିଲ୍ଲାରେ ଶହ ଶହ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଚାନ୍ଦପୁର କୋଭିଡ୍ ହସ୍ପିଟାଲ ଏବେ ରୋଗୀଙ୍କ ପାଇଁ ମଶାଣୀ ପାଲଟିଛି । ପ୍ରତ୍ୟେକ ଦିନ କେଉଁଠୁ ନାଁ କେଉଠୁ ମୃତ୍ୟୁର ଖବର ଆସୁଛି । ଓଡ଼ଗାଁ ବ୍ଲକ ଝାଡ଼ସାହି ଭଳି ଜିଲ୍ଲାରେ ଅନେକ ଗାଁରେ ଏଭଳି ଉଦାହରଣ ରହିଛି । ଯେଉଁଠାରେ କି ଏକାଧିକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବା ପରେ ଗାଁରେ ଭୟାନକ ପରିସ୍ଥିତି ସୃଷ୍ଟି ହୋଇଛି । ସେ ସବୁ ସାଧାରଣ ଲୋକଙ୍କ ସାମନାକୁ ଆସିଲେ, ଜିଲ୍ଲା ପ୍ରଶାସନର ସମୀକ୍ଷା, ପାରିବା ପଣିଆ ଏବଂ କରୋନା ମୁକାବିଲାର ଢିଣ୍ଡିବ ପିଟିବା ତିରସ୍କାରରେ ପରିଣତ ହେବା ସାର ହେବ । ଜିଲ୍ଲାରେ କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହେଉଥିବା ବେଳେ ପ୍ରଶାସନ ଏଭଳି ସହର ବଜାର ପ୍ରତି ଥିବା କଟକଣାକୁ ମୁକ୍ତ କରିବା କେବଳ ଲୋକଙ୍କ ଜୀବନ ସହ ଖେଳ ବୋଲି ଆଲୋଚନା ହେଉଛି । ପରିସ୍ଥିତିକୁ ଜଟିଳ ତଥା ଗମ୍ଭୀରତାର ସହ ନେଇ ପ୍ରଶାସନ ଲକଡାଉନ ନିୟମକୁ ନିୟମ ଭାବେ ପାଳନ କରିବାକୁ ଦାବି ହେଉଛି ।






