ଓଡ଼ଗାଁ(ବାଘୁଆବାର୍ତ୍ତା) ନୟାଗଡ଼ ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କରୋନାର ଏହି ଦ୍ୱିତୀୟ ଲହର ବେଶି ଘାତକ ହେଉଥିବା ବେଳେ ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ଅଞ୍ଚଳରେ ମଧ୍ୟ ସଂକ୍ରମଣ ହାର ବଢିବାରେ ଲାଗିଛି । ବିଶେଷ କରି କୋମଣ୍ଡ ପଞ୍ଚାୟତ ଛାମୁସାହିରୁ ଏକକାଳୀନ ୧୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ସରପଞ୍ଚ ସୁଶାନ୍ତ ଦଳେଇ ନିଜର ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଉକ୍ତ ଅଞ୍ଚଳକୁ ଆଜି ଦିବା ୨ ଘଟିକା ଠାରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଆବଦ୍ଧାଞ୍ଚଳ ଘୋଷଣା କରିଛନ୍ତି।
ତେବେ ଏହି ଆବଦ୍ଧାଞ୍ଚଳରେ କେବଳ ଅତ୍ୟାବଶ୍ୟକୀୟ ସେବା ଜାରି ରହିବ। ଏହା ବ୍ୟତୀତ ଦୋକାନ ବଜାର ଓ ବିଭିନ୍ନ ବ୍ୟବସାୟୀକ ପ୍ରତିଷ୍ଠାନ ବନ୍ଦ ରଖିବାକୁ ପଞ୍ଚାୟତ ପକ୍ଷରୁ କୁହାଯାଇଛି। ଯଦି କେହି କୋଭିଡ଼ କଟକଣାକୁ ନମାନନ୍ତି, ତେବେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।ତେବେ ସମସ୍ତ ଗ୍ରାମବାସୀଙ୍କୁ ସାମାଜିକ ଦୁରତାରକ୍ଷା କରିବା ସହିତ ମାକ୍ସ ପିନ୍ଧିବା ବାଧ୍ୟତାମୂଳକ ବୋଲି ବୁଝାଇବା ସହ ଅଯଥାରେ କେହି ବାହାରକୁ ନବାହାରିବା ପାଇଁ ସରପଞ୍ଚ ଜନ ସାଧାରଣଙ୍କୁ ନିବେଦନ କରିଛନ୍ତି ।






