ଖୋର୍ଦ୍ଧା (ବାଘୁଆବାର୍ତ୍ତା): ଘର ଭିତରୁ ମିଳିଲା ମାଆ ଓ ୬ ବର୍ଷ ଶିଶୁ କନ୍ୟାର ମୃତଦେହ । ମାଆ-ଝିଅଙ୍କ ମୃତ୍ୟୁର କାରଣ ଜଣାପଡି ନଥିବା ବେଳେ ଶାଶୂଘର ଲୋକ ଆତ୍ମହତ୍ୟା ବୋଲି କହୁଥିବା ବେଳେ ତଣ୍ଟିଚିପି ହତ୍ୟା କରାଯାଇଥିବା ବାପଘର ଲୋକେ ଅଭିଯୋଗ କରିଛନ୍ତି । ଏନେଇ ଖୋର୍ଦ୍ଧା ଟାଉନ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପରେ ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ୨୦୧୨ ମସିହାରେ ପୁରୀ ଜିଲ୍ଲା ସୁବଳ ଗାଁର ରାଜଶ୍ରୀ ପଣ୍ଡା ଖୋର୍ଦ୍ଧା ପାଟପୁର ଗ୍ରାମର ଶିବପ୍ରସାଦ ପତିଙ୍କୁ ବିବାହ କରିଥିଲେ । ଉଭୟଙ୍କ ପ୍ରେମ ବିବାହ ହୋଇଥିଲା । ବିବାହର କିଛି ଦିନ ପରେ ସ୍ୱାମୀ ଶିବଙ୍କ ଚରିତ୍ରକୁ ରାଜଶ୍ରୀ ସନ୍ଦେହ କରୁଥିବା ଅଭିଯୋଗ ହେଉଥିଲା । ଯେଉଥିପାଇଁ ଅନେକ ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗୁଥିଲା । ସୋମବାର ରାତିରେ ମଧ୍ୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଆଜି ସକାଳେ ରାଜଶ୍ରୀ ବାପଘର ଲୋକଙ୍କ ସହିତ ଫୋନରେ କଥା ହୋଇଥିଲେ । ତେବେ ପୂର୍ବାହ୍ନ ୧୧ ଟା ବେଳେ ଶାଶୂ ଘରୁ ରାଜଶ୍ରୀଙ୍କ ବାପ ଘରକୁ ଏକ ଫୋନ ଯାଇଥିଲା । ଯେଉଁଥିରେ ଫୋନ କରିଥିବା ବ୍ୟକ୍ତି କହିଥିଲେ, ରାଜଶ୍ରୀ ଓ ତାଙ୍କ ୬ ବର୍ଷର ଝିଅ ସୁଶ୍ରୀ ବିଷ ପିଇଦେଇଛନ୍ତି । ଯାହାକୁ ରାଜଶ୍ରୀଙ୍କ ପରିବାର ଲୋକେ ବିଶ୍ୱାସ କରିପାରିନଥିଲେ । ସଙ୍ଗେ ସଙ୍ଗେ ଖୋର୍ଦ୍ଧା ଚାଲି ଆସିଥିଲେ । ମେଡିକାଲରେ ରାଜଶ୍ରୀ ଓ ନାତୁଣୀର ମୃତଦେହ ପଡିଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ମାତ୍ର ମେଡିକାଲରେ ଜ୍ୱାଇଁ ଶିବ ନଥିଲେ ବୋଲି ତାଙ୍କ ଶାଶୂ ଅଭିଯୋଗ କରିଛନ୍ତି । ଏଥିରୁ ଜଣାପଡୁଛି ଝିଅ ଓ ନାତୁଣୀର ତଣ୍ଟିଚିପି ଜ୍ୱାଇଁ ହତ୍ୟା କରିଛନ୍ତି । ଏନେଇ ରାଜଶ୍ରୀଙ୍କ ବାପା ଖୋର୍ଦ୍ଧା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଅନ୍ୟପକ୍ଷରେ ରାଜଶ୍ରୀଙ୍କ ସ୍ୱାମୀ ଶିବ ଫେରାର ଅଛନ୍ତି ।






