ଓଡ଼ଗାଁ, (ବାଘୁଆବାର୍ତ୍ତା): ଜିଲ୍ଲାରେ ମହାମାରୀ କରୋନା ସଂକ୍ରମିତ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନା କରାଯାଉଥିଲେ ମଧ୍ୟ କେତେକ ଅମାନିଆ ଯୋଗୁଁ ସଂଖ୍ୟା ଓଡ଼ଗାଁ ବ୍ଳକରେ ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ଓଡ଼ଗାଁ ତହସିଲଦାର ବିଜୟୀତା ସାମନ୍ତସିଂହାର, ପଞ୍ଚୁମୁ ଗ୍ରାମପଞ୍ଚାୟତର ଦୟାନଝରୀ ଗ୍ରାମକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ ଅନ୍ତର୍ଗତ ପଞ୍ଚୁମୁ ପଞ୍ଚାୟତ ଅଧିନରେ ଥିବା ଦୟାନଝରୀ ଗ୍ରାମରେ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ୁଥିବାରୁ ଏହାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆଜି ଅପରାହ୍ନ ୨ଟା ଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଉକ୍ତ ଗ୍ରାମକୁ ମାଇକ୍ରୋ କଣ୍ଟେନମେଣ୍ଟ କରାଯାଇଛି । ଏହି ଗ୍ରାମକୁ ବିଶୋଧନ କରାଯିବା ସହିତ ପ୍ରତ୍ୟେକ ଘରକୁଘର ବୁଲି କୋଭିଡ ପରୀକ୍ଷା କରାଯିବ । କୌଣସି ଜନସାଧାରଣ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ । ଉକ୍ତ ଅଞ୍ଚଳରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିବ । ଯଦି କୌଣସି ବ୍ୟକ୍ତି ଏଥିରେ ଖିଲାପ କରନ୍ତି, ପୁଲିସ୍ ପକ୍ଷରୁ ସେହି ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।






