ଭୁବନେଶ୍ୱର (ବାଘୁଆବାର୍ତ୍ତା): ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଓଡିଶାରେ ବାତ୍ୟା ନାଁ ଶୁଣିଲେ ରାଜ୍ୟବାସୀଙ୍କ ମନରେ ଛନକା ପଶେ । କାରଣ ପ୍ରତିବର୍ଷ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେଉଛି । ସମୁଦ୍ର ଉପକୂଳବର୍ତୀ ରାଜ୍ୟଗୁଡ଼ିକରେ ବ୍ୟାପକ କ୍ଷୟକ୍ଷତି କରୁଛି । ଚଳିତ ବର୍ଷର ପ୍ରଥମ ବାତ୍ୟା ତାଉତେ ଗୁଜରାଟ ଆଡେ ଚାଲିଯାଇଛି । ହେଲେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଦାନା ବାନ୍ଧୁଥିବା ନେଇ ସଂକେତ ମିଳୁଛି । କେନ୍ଦ୍ର ଭୂ-ବିଜ୍ଞାନ ମନ୍ତ୍ରଳାୟର ସଚିବ ମାଧବନ ରାଜୀବନ ଏକ ଟ୍ୱିଟ କରି ତାଉତେର ସଠିକ ଆକଳନ ପାଇଁ ଭାରତୀୟ ପାଣିପାଗ ବଭାଗକୁ ଶୁଭେଚ୍ଛା ଜଣାଇଛନ୍ତି । ତାଉତେର ସ୍ଥିତି, ଏହାର ଗତି ସହ ଲ୍ୟାଣ୍ଡଫଲ ସ୍ଥାନ ଓ ସମୟ ବାବଦରେ ଏକ ଦମ ଠିକ ଆକଳନ କରୁଥିବାରୁ ଆଇଏମଡିକୁ ଧନ୍ୟବାଦ ଜଣାଇଛନ୍ତି । ହେହେଲ ବଙ୍ଗୋପସାଗରରେ ଆଗାମୀ ୨୩ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେଉଥିବା ନେଇ ସେ ସଂକେତ ଦେଇଛନ୍ତି । ବିଶ୍ୱସ୍ତ୍ର ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ଲଘୁଚାପ ଅଧିକ ଘନୀଭୂତ ହୋଇ ଆଗାମୀ ୨୬ କିମ୍ବା ୨୭ ତାରିଖ ବେଳକୁ ବାତ୍ୟାର ରୂପ ନେଇପାରେ । ଏପରିକି ଏହା ଓଡିଶା ଉପକୂଳ ଆଡକୁ ଅଗ୍ରସର ହେବ ବୋଲି ଅନୁମାନ କରାଯାଉଛି । ତେବେ ଲଘୁଚାପ ସୃଷ୍ଟି ହେବାପରେ ଏନେଇ ସଠିକ ଆକଳନ କରିହେବ । ଏବଂ ଏହାର ଗୁରୁତ୍ୱ ଓ ଗତିବିଧି ବିଷୟରେ ଅଧିକ ଜଣାପଡିବ ବୋଲି ସୂଚନା ମିଳିଛି ।






