ନୟାଗଡ଼ (ବାଘୁଆବାର୍ତ୍ତା): ରଣପୁରରେ ଗତକାଲି ବିଦେଶୀ ମଦ କାରଖାନା ଠାବ ହୋଇଥିବା ବେଳେ ଆଜି ରଣପୁର ପୁଲିସକୁ ମିଳିଛି ଆଉ ଏକ ସଫଳତା । ଦୀର୍ଘ ୧ ବର୍ଷ ଧରି ଦେଶୀ ମଦ କାରଖାନା ଚଳାଇଥିବା ୩ ମଦ ବେପାରୀଙ୍କୁ ଗିରଫ କରିଛି ରଣପୁର ପୁଲିସ । ସୂଚନାମୁତାବକ, ରଣପୁର ବ୍ଲକ ଅନ୍ତର୍ଗତ ତାଳକଣି ପଞ୍ଚାୟତର କୋଟପୋଖରୀଠାରେ ଚାଲିଥିଲା ଦେଶୀମଦର କାରଖାନା । ଆଜି ରଣପୁର ପୁଲିସ ଚଢ଼ଉ କରି ୪୦୦ ଲିଟର ଦେଶୀମଦ, ୨୦୦୦ ଲିଟର ପୋଚ ଜବତ କରିବା ସହ ଦୁଇଗୋଟି ମଟର ସାଇକେଲ ଜବତ କରିଛି । ୩ ଜଣ ଗିରଫ ହେବା ସହ ୧୦ଗୋଟି ପୋଚ ଡ୍ରମ, ମଦ ରାନ୍ଧିବା କିଛି ସାମଗ୍ରୀ ଜବତ କରାଯାଇଛି । ମୁଖ୍ୟ ଅଭିଯୁକ୍ତ ରବିନ୍ଦ୍ର ରାଣା, ଜିତେନ୍ଦ୍ର ବେହେରା ଓ ଚରଣ ବେହେରାଙ୍କୁ ପୁଲିସ ଗିରଫ କରିଛି । ରଣପୁର ଥାନାର ସବଇନିସପେକ୍ଟର ପ୍ରିତିପ୍ରକାଶ ମହାନ୍ତିଙ୍କ ନେତୃତ୍ୱରେ ଗଠିତ ଏକ ଟିମ ବହୁତ ଦିନ ଧରି ଏହି ଦେଶୀ ମଦ କାରଖାନାକୁ ଠାବ କରିବା ପାଇଁ ଯୋଜନା କରିଥିଲେ । ଆଜି ଏଥିରେ ସଫଳ ହୋଇଛନ୍ତି ।






