ବଲାଙ୍ଗୀର (ବାଘୁଆବାର୍ତ୍ତା): କରୋନା ମହାମାରୀ ସମୟରେ ଚାଲିଛି ଲୁଟେରାଙ୍କ ରାଜ । ମାନୁ ନାହାନ୍ତି କୋଭିଡ ଗାଇଡ ଲାଇନ କି ଲକଡାଉନ କଟକଣା । ଲକଡାଉନ ଯୋଗୁଁ ଚାରିଆଡେ ପୋଲିସ ଦିନ ତମାମ ସକ୍ରିୟ ରହି ଅମାନିଆଙ୍କୁ ସାବାଡ କରିବାରେ ବ୍ୟସ୍ତ ଥିବା ବେଳେ ରାତି ଅଧରେ ଲୁଟେରା ନିଜ ଲକ୍ଷ୍ୟସ୍ଥଳକୁ ବାହାରି ଯାଉଛନ୍ତି । ଏହିଭଳି ଏକ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିବାରେ ସକ୍ଷମ ହୋଇଛି ବଡମାଲ ପୋଲିସ । ଗତ ୨୮ ତାରିଖ ମଧ୍ୟରାତିରେ ବେଦାନ୍ତ ଆଲୁମିନିୟମ ପ୍ଲାଣ୍ଟର ରେଳବାଇ ସାଇଡିଂ କାର୍ଯ୍ୟ କରୁଥିବା ଏକ ଠିକାସଂସ୍ଥାର କ୍ୟାମ୍ପ ଲୁଟ ହୋଇଥିଲା । କ୍ୟାମ୍ପରେ ଦୁଇ ଜଣ କର୍ମଚାରୀ ଥିବାବେଳେ ସେମାନଙ୍କୁ ବାନ୍ଧି ବନ୍ଧୁକ ଦେଖାଇ ତାଙ୍କ ନିକଟରୁ ଦୁଇଟି ମୋବାଇଲ ସହ ୨ ହଜାର ଟଙ୍କା ଲୁଟି ନେଇଥିଲେ । ପରେ ଅନ୍ତର୍ଯ୍ୟାମୀ ପାଟିଲ ଓ ତାଙ୍କ ସହଯୋଗୀ ବଡମାଲ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏହି ମାମଲାର ତଦନ୍ତ କରି ଜୟଦେବ ଓରାମ, ଶନିଶ୍ଚର ଓରାମ ଓ ମିଶ୍ର ଓରାମକୁ ଗିରଫ କରିଥିଲା । ତାଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ଲୁହା ରଡ ସହ ଚୋରି ହୋଇଥିବା ଦୁଇଟି ମୋବାଇଲ, ନଗଦ ୨ ହଜାର ଟଙ୍କା ଜବତ କରିଛି ପୋଲିସ । ଏଥିସହ ସେମାନଙ୍କ ନିକଟରୁ ଗୋଟିଏ ବାଇକ ମଧ୍ୟ ଜବତ କରି ଆସାମୀଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ଗରିଫ ଅଭିଯୁକ୍ତଙ୍କ ବିରୋଧରେ ପୂର୍ବରୁ ହତ୍ୟା ଓ ଅନେକ ଚୋରି ମାମଲା ରହିଥିବା କହିଛନ୍ତି ବଡମାଲ ଆଇଆଇସି ଅମିତାଭ ପଣ୍ଡା ।






