ଜଳେଶ୍ୱର (ବାଘୁଆବାର୍ତ୍ତା): ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ମହାନତା । ରୋଗୀ ଛାଡି ବାଲେଶ୍ୱରରୁ ଫେରୁଥିବା ବେଳେ ୬୦ ନମ୍ବର ଜାତୀୟ ରାଜପଥର ହଳଦୀପଦା ନିକଟରୁ ଦୁଇଟି କଏନ ଭର୍ତ୍ତି ବସ୍ତା ପାଇ ଜଳେଶ୍ୱର ଥାନାରେ ଜିମା ଦେଲେ । ଡ୍ରାଇଭର ବିମଳ ଦାସ, ହେଲ୍ପର ବିକାଶ ମାହନ୍ତ ଓ ଫାର୍ମାସିଷ୍ଟ ବାପି ମାହନ୍ତଙ୍କ ଏପରି କାର୍ଯ୍ୟ ପାଇଁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି । ତେବେ ବସ୍ତା ଭିତରେ ପାଖାପାଖି ୩୫ କିଲୋରୁ ଅଧିକ ୨ ଟଙ୍କିଆ କଏନ ଅଛି ବୋଲି ଆକଳନ କରାଯାଉଛି । ଗୁରୁବାର ରାତିରେ ବାଲେଶ୍ୱର ଜିଲ୍ଲା କମର୍ଦ୍ଦାରେ ରହୁଥିବା ୧୦୮ ଆମ୍ବୁଲାନ୍ସ ସ୍ଥାନୀୟ ହସ୍ପିଟାଲରୁ ରୋଗୀ ନେଇ ବାଲେଶ୍ୱର ମୁଖ୍ୟ ହସ୍ପିଟାଲରେ ପହଞ୍ଚାଇ ପୂର୍ବ ସ୍ଥାନକୁ ଫେରୁଥିଲା । ସେହି ସମୟରେ ୬୦ ନମ୍ବର ଜାତୀୟ ରାଜପଥର ହଳଦୀପଦା ନିକଟରେ ରାସ୍ତା ଉପରୁ ଦୁଇଟି ଟଙ୍କା ଭର୍ତ୍ତି ଥିବା ବସ୍ତା ପାଇଥିଲେ । ଏଥିରେ କଏନ ଥିବା ଜାଣି ସ୍ଥାନୀୟ ଜଳେଶ୍ୱର ପୋଲିସକୁ ହସ୍ତାନ୍ତର କରିଛନ୍ତି । କଏନଗୁଡିକ ବସ୍ତାରେ କୌଣସି ବ୍ୟାଙ୍କରୁ ଯାଉଥିବା ବେଳେ ରାସ୍ତାରେ କୌଣସି ପ୍ରକାରେ ଖସି ପଡିଥିବା ଅନୁମାନ କରାଯାଉଛି । ପୋଲିସର ତଦନ୍ତ ପରେ ଏ ସଂପର୍କରେ ସ୍ପଷ୍ଟ ସୂଚନା ମିଳିବ । ଆମ୍ବୁଲାନ୍ସ କର୍ମଚାରୀମାନଙ୍କର ଏଭଳି କାମକୁ ବୁଦ୍ଧିଜୀବୀ ମହଲରୁ ପ୍ରଶଂସା କରାଯାଇଛି ।






