ନୟାଗଡ଼, (ବାଘୁଆବାର୍ତ୍ତା): ମହାମାରୀ କରୋନା ସମୟରେ ରାଜ୍ୟ ସରକାର ଲକଡାଉନ୍ ଓ ସଟଡାଉନ୍ କରିବା ଫଳରେ ମଦର ଘୋର ଅଭାବ ଦେଖା ଦେଇଥିବା ବେଳେ ଚୋରା ବ୍ୟବସାୟୀ ମଦ ବ୍ୟବସାୟ କରିବାକୁ ନୂତନ ପନ୍ଥା ଅବଲମ୍ବନ କରିଛନ୍ତି । ଯାହା ପୁଲିସ୍ ହାବୁଡରେ ପଡିଥିବା ଦେଖିବାକୁ ମିଳିଛି । ମାଛ ବରଫ ପେଟିରେ ଦେଶୀ ମଦ ଚୋରା ଚାଲାଣ ହେଉଥିବା ବେଳେ ପୁଲିସ ଜବତ କରିବା ସହିତ ଅଭିଯୁକ୍ତକୁ ଗିରଫ୍ କରିଛି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ରଣପୁର ପୁଲିସ ରଣପୁର ବାଇପାସ୍ ରାସ୍ତାରେ ଚେକିଂ କରୁଥିବା ବେଳେ ଜଣେ ୧୯ବର୍ଷିୟ ଯୁବକ ବାଇକ୍ ନଂ(ଓଡି ୨୫ଏଲ ୨୫୧୮)ରେ ଦୁଇଟି ମାଛ ବରଫ୍ ପେଟି ନେଇ ଯାଉଥିବା ବେଳେ ପୁଲିସ୍ ଅଟକାଇ ପଚରାଉଚକା କଲାବେଳେ ବାଇକ୍ ଛାଡି ଦୌଡି ପଳାଇବାକୁ ଚେଷ୍ଟା କରିଥିଲା । ରଣପୁର ପୁଲିସ୍ ଗୋଡାଇ ଅଭିଯୁକ୍ତ ଯୁବକକୁ ଧରିଥିଲା । ତେବେ ଉକ୍ତ ମାଛ ବରଫ ପେଟିରେ ବରଫ୍ ଫୁଲ୍ ହୋଇ ତଳେ ଦେଶୀ ମଦ ରଖିଥିବା ଜଣା ପଡିବା ପରେ ପୁଲିସ୍ ବାଇକ୍, ମଦ ଓ ଯୁବକକୁ ଥାନାକୁ ଆଣିଥିଲା । ଦୁଇଟି ମାଛ ବରଫ ପେଟିରେ ୧୦୦ଲିଟର ଦେଶୀ ମଦ ପାଉଜ୍ ଓ ବାଇକକୁ ଜବତ କରି ରଣପୁର ଥାନାରେ କେସ ନଂ ୮୫/୨୧ରେ ମାମଲା ଋଜୁ କରି ଗିରଫ୍ କରିଥିବା ଜଣାପଡିଛି । ଗିରଫ୍ ହୋଇଥିବା ଯୁବକ ଜଣକ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ ରତନପୁର ଗାଁ ନରହରସାହିର ରାଜା ବେହେରା ବୋଲି ଜଣାପଡିଛି । ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ରଣପୁର ଥାନା ଅଧିକାରୀ ଜ୍ୟୋତିପ୍ରକାଶ ପଣ୍ଡା ସୂଚନା ଦେଇଛନ୍ତି ।





