ଭୁବନେଶ୍ୱର (ବାଘୁଆବାର୍ତ୍ତା): କରୋନାରେ ଆଉ କେତେ ପ୍ରଭାବିତ ହେଲେ ଚେତିବେ ଅମାନିଆ । କେବେ ଲୋକଙ୍କ ଭିତର ସୃଷ୍ଟି ହେବ ସଚେତନତା । ଆଉ କେତେ ଦୁଃସମୟ ଦେଖିବାକୁ ଅପେକ୍ଷା କରିଛନ୍ତି ଏଭଳି ଅମାନିଆ ବ୍ୟକ୍ତି । ମହାମାରୀ କାହାକୁ କାହାକୁ କେତେବେଳେ ମୃତ୍ୟୁ କୋଳରେ ଶୁଆଇ ଦେଉଛି, ତାହା କଳ୍ପନା କରି ହେଉନାହିଁ । କରୋନା ସଂକ୍ରମଣ ରୋକିବାକୁ ଲଢ଼େଇ ଚାଲିଛି । ଡାକ୍ତରଖାନାରେ ସଂକ୍ରମିତ ଜୀବନ ପାଇଁ ସଂଘର୍ଷ କରୁଛନ୍ତି । ଘରେ ସଂଗରୋଧରେ ରହି ଆକ୍ରାନ୍ତ ସୁସ୍ଥ ହେବାକୁ ଚେଷ୍ଟା ଚଳାଇଛନ୍ତି । ମହାମାରୀ ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କଡା ପଦକ୍ଷେପ ନେଉଛନ୍ତି, କଟକଣା ଲଗାଉଛନ୍ତି । ହେଲେ କିଛି ଅମାନିଆ ବ୍ୟିକ୍ତି ଏହି ସମୟରେ ମଉଜ କରୁଛନ୍ତି । ବିବାହ ଭୋଜିରେ ୫୦ ଜଣ ଲୋକଙ୍କୁ ଏକାଠି ହେବାକୁ ଅନୁମତି ମିଳିଥିବା ବେଳେ ଶତାଧିକ ଲୋକଙ୍କ ପାଇଁ ଭୋଜିର ଆୟୋଜନ କରୁଛନ୍ତି । ତାଲାବନ୍ଦ ସାଙ୍ଗକୁ କରୋନା କବଳିତ ରାଜ୍ୟରେ ଲୋକେ ଗଣ୍ଡାଏ ଖାଇ ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ବେଳେ ବିଭିନ୍ନ ପ୍ରକାର ଆଇଟମ କରି ଭୋଜିର ଆୟୋଜନ କରାଯାଉଛି । ଏଘଟଣା ହେଉଛି ଗଞ୍ଜାମ ଜିଲ୍ଲା ପୋଲସରାର । ଗତକାଲି ଦୁଇଟି ଭୋଜି ବନ୍ଦ କରିଥିବା ପ୍ରଶାସନ ଆଜି ଆଉ ୩ଟି ଭୋଜି ବନ୍ଦ କରିଛି । ନିମିନାରେ ଦୁଇଟି ଓ ରାଣିପଡାରେ ଚାଲିଥିବା ଭୋଜିକୁ ବନ୍ଦ କରିଛି ପୋଲସରା ପୋଲିସ । କୋଭିଡ ନିୟମକୁ ଉଲ୍ଲଘଂନ କରି ବିବାହ ଭୋଜିର ଆସର ଚାଲିଥିଲା । ବିନା ଅନୁମତିରେ ଶତାଧିକ ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ ହୋଇଥିଲା । ଏ କଥା ଜାଣି ଘଟଣାସ୍ଥଳରେ ପହଞ୍ଚିଥିଲେ ପୋଲସରା ଥାନା ଅଧିକାରି ଜିତେନ୍ଦ୍ର କୁମାର ମଲ୍ଲିକ । ପ୍ରଶାସନିକ ଅଧିକାରୀ ଭୋଜି ବନ୍ଦ କରିବା ସହ ନିୟମ ମୁତାବକ ୫ ହଜାର ଲେଖାଏ ଦୁଇଟି ସ୍ଥାନରୁ ଆଦାୟ କରିଥିଲେ ।






