ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): ମହାମାରୀ କରୋନା ଜଣେ ବ୍ୟକ୍ତିଙ୍କ ଫୁସଫୁସକୁ ହିଁ ପ୍ରଥମେ ସଂକ୍ରମିତ କରିଥାଏ । କାହାର ଦୁଇଟି ଯାକ ଫୁସଫୁସ ଠିକ ନଥିବ, ସେମାନଙ୍କ ପ୍ରତି କରୋନା ଘାତକ ହୋଇପାରେ । ମଧ୍ୟପ୍ରଦେଶର ଜଣେ ନର୍ସ ସବୁ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି । ନିଜର ସାହସୀକତା ଲାଗି ନର୍ସଙ୍କୁ ମିଳିଛି ଚାରିଆଡୁ ପ୍ରଶଂସା । ନର୍ସଙ୍କ ଶରୀରରେ ଗୋଟିଏ ଫୁସଫୁସ ଥିଲେ ମଧ୍ୟ ସେ ବେଶ ସାହାସର ସହ କରୋନା ସହ ଲଢ଼େଇ କରିଛନ୍ତି । ଖାଲି ଲଢ଼େଇ କରିନାହାନ୍ତି ବରଂ ୧୪ ଦିନ ପରେ ସୁସ୍ଥ ହୋଇଛନ୍ତି । ଆପଣଙ୍କୁ ନିଶ୍ଚିତ ଏହା ଆଶ୍ଚର୍ଯ୍ୟ ଲାଗୁଥିବ । କ’ଣ ସତରେ ଜଣେ ନର୍ସ ଏପରି କରିବାକୁ ସକ୍ଷମ ହୋଇଛନ୍ତି? କିନ୍ତୁ ପ୍ରକୃତରେ ଏମିତି ଘଟଣା ଘଟିଛି । ତେବେ ନର୍ସ ଜଣଙ୍କ କେମିତି କରୋନାକୁ ମାତ ଦେଲେ ଆସନ୍ତୁ ଜାଣିବା । ଏହି ନର୍ସ ଜଣଙ୍କ ହେଉଛନ୍ତି ୩୯ ବର୍ଷୀୟ ପ୍ରଫୁଲ୍ଲିତ ପିଟରା ସେ ପିଲାବେଳେ ହିଁ ତାଙ୍କର ଗୋଟିଏ ଫୁସଫୁସ ହରାଇଥିଲେ । ଦୁର୍ଘଟଣାରେ ତାଙ୍କର ଗୋଟିଏ ଫୁସଫୁସ ନଷ୍ଟ ହୋଇଯାଇଥିବାରୁ ଡାକ୍ତରମାନେ ଏହାକୁ ବାହାର କରିଦେଇଥିଲେ । କିନ୍ତୁ ପ୍ରଫୁଲ୍ଲିତ ଏ ବିଷୟରେ ୨୦୧୪ରେ ହିଁ ଜାଣିବାକୁ ପାଇଥିଲେ । ଏବେ ସେ ଟିକମଗଡ ସିଭିଲ ହସ୍ପିଟାଲରେ କାର୍ଯ୍ୟରତ ଥିଲେ । ଏଠାରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ବେଳେ ସେ ନିଜେ ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିଲେ । ତାଙ୍କର ଗୋଟିଏ ଫୁସଫୁସ ଥିବାରୁ ସମସ୍ତେ ଏହାକୁ ନେଇ ବ୍ୟସ୍ତ ହୋଇପଡିଥିଲେ । ତୁରନ୍ତ ତାଙ୍କୁ ଟିକମଗଡ଼ ସିଭିଲ ହସ୍ପିଟାଲରେ ଆଡମିଟ କରାଯାଇଥିଲା । କିନ୍ତୁ ସେ ଘରେ ରହିବାକୁ ଚାହିଁଥିଲେ । ହୋମ ଆଇସୋଲେସନରେ ରହି ସେ ସବୁ ପ୍ରକାରର ଚିକିତ୍ସା ପଦ୍ଧତିକୁ ଆପଣାଇଥିଲେ । ନିଜର ଫୁସଫୁସକୁ ଠିକ ରଖିବା ପାଇଁ ସେ ଯୋଗ, ପ୍ରାଣାୟମ, ଶ୍ୱାସକ୍ରିୟା ଠିକ କରିବା ପାଇଁ ବିଭିନ୍ନ ବ୍ୟାୟାମ କରିଥିଲେ । ସେହିପରି ଶ୍ୱାସନଳୀକୁ ସଶକ୍ତ କରିବା ପାଇଁ ସେ ବେଲୁନ ମଧ୍ୟ ଫୁଙ୍କୁଥିଲେ । ତାଙ୍କ ସାହାସ ଓ ଯୋଗାଭ୍ୟାସ ବଳରେ ସେ ୧୪ ଦିନ ପରେ କରୋନାକୁ ସଂପୂର୍ଣ୍ଣ ମାତ ଦେବାକୁ ସକ୍ଷମ ହୋଇଛନ୍ତି । ସେ ସୁସ୍ଥ ହେବା ପରେ କହିଛନ୍ତି, “କରୋନାରେ ଆକ୍ରାନ୍ତ ହେବା ପରେ ମୁ ଧୈର୍ଯ୍ୟ ହରାଇ ନଥିଲି । ଯୋଗ ଠାରୁ ଆରମ୍ଭ କର ବେଲୁନ ଫୁଙ୍କିବା ଯାଏ, ସବୁ କାମ କରୁଥିଲି । ଫୁସଫୁସକୁ ସଶକ୍ତ ରଖିବା ହିଁ ମୋର ଏକମାତ୍ର ଲକ୍ଷ ଥିଲା । ଏଥି ସହ କରୋନା ଟିକାର ଦୁଇଟି ଯାକ ଡୋଜ ମଧ୍ୟ ମୁଁ ନେଇଥିଲି । ତେଣୁ କରୋନାକୁ ନିଶ୍ଚିତ ହରାଇପାରିବି ବୋଲି ମୋର ବିଶ୍ୱାସ ଥିଲା ।






